ସୁଲତା ଦେଓ,ମାନସ ମଙ୍ଗରାଜ, ସସ୍ମିତ ପାତ୍ର ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ

ବିଜେଡିର ୩ ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ୱର : ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବିଜେଡିର ୩ ରାଜ୍ୟସଭା ପ୍ରାର୍ଥୀ । ମାନସ ମଙ୍ଗରାଜ, ସସ୍ମିତ ପାତ୍ର, ସୁଲତା ଦେଓ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଶୁକ୍ରବାର ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଥିଲା ଶେଷ ଦିନ । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ରହିଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଅବଧି । ଏହି ସମୟ ଶେଷହେବା ପରେ ବିଜେଡିର ୩ ପ୍ରାର୍ଥୀଙ୍କୁ ନିର୍ବାଚିତ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର । ରାଜ୍ୟସଭା ପାଇଁ ବିରୋଧୀଙ୍କ ପାଖରେ ନଥିଲା ଆବଶ୍ୟକ ସଂଖ୍ୟା । କଂଗ୍ରେସ କିମ୍ବା ବିଜେପି କେହି ପ୍ରାର୍ଥୀ ଦେଇନଥିଲେ । ଏଣୁ ବିଜେଡି ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚିତ ପରେ ରିଟର୍ଣ୍ଣିଂ ଅଫିସରଙ୍କଠାରୁ ସାର୍ଟିଫିକେଟ୍ ଗ୍ରହଣ କରିଛନ୍ତି ୩ପ୍ରାର୍ଥୀ । ପ୍ରଥମ ଥର ପାଇଁ ମାନସ ମଙ୍ଗରାଜ, ସୁଲତା ଦେଓ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ସସ୍ମିତ ପାତ୍ର ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ଯାଉଛନ୍ତି । ସାମ୍ବାଦିକତାରୁ ରାଜନୀତି କ୍ଷେତ୍ରକୁ ଆସି ଜଣେ ଦକ୍ଷ ରାଜନେତା ଭାବରେ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି ମାନସ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ଭାବେ ସଫଳତାର ସହିତ ଦାୟିତ୍ୱ ତୁଲାଇବା ସହିତ ଦଳକୁ ସୁସଂଗଠିତ କରିବାରେ ପ୍ରମୁଖ ଭୂମିକା ତୁଲାଇଛନ୍ତି । ସେହିପରି ରାଜନୀତିରେ ଯଥେଷ୍ଟ ଅଭିଜ୍ଞତା ଥିବା ମହିଳା ନେତ୍ରୀ ସୁଲତା ଦେଓ ସରପଞ୍ଚରୁ ରାଜ୍ୟସଭା ସାଂସଦ ହେବାର ସଫଳତା ହାସଲ କରିଛନ୍ତି । ସେପଟେ ଦ୍ୱିତୀୟ ଥର ଭାବେ ସସ୍ମିତ ପାତ୍ର ରାଜ୍ୟସଭାରେ ନିଜର ଦକ୍ଷତା ପ୍ରତିପାଦନ କରିବେ ।

ବିଜୟୀ ପରେ ପ୍ରତିକ୍ରିୟା ଦେଇଛନ୍ତି ନବନିର୍ବାଚିତା ସାସଂଦ ସୁଲତା ଦେଓ । ସେ ଶ୍ରୀ ଜନଗନ୍ନାଥଙ୍କ ପାଖରୁ ଆଶୀର୍ବାଦ କାମନା କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ରାଜ୍ୟର ସାଢ଼େ ୪ କୋଟି ଓଡ଼ିଆଙ୍କ ପାଇଁ ଯେଉଁ ଦୂରଦୃଷ୍ଟି ରହିଛି ତା ଉପରେ କାମ କରିବୁ । ବିଶେଷକରି ମହିଳା ଶଶକ୍ତିକରଣ ଦିଗରେ କାମ କରିବେ ବୋଲି ସୁଲତା ଦେଓ କହିଛନ୍ତି ।

ବିଜେଡିର ଗଣମାଧ୍ୟମ ପରାମର୍ଶଦାତା ଭାବେ ସୁଚାରୁ ରୂପେ ଦାୟିତ୍ୱ ତୁଲାଇବା ପରେ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ମାନସ ମଙ୍ଗରାଜ । ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ପରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଓଡ଼ିଶାବାସୀଙ୍କ ସମସ୍ୟାକୁ ସଦନରେ ଉଠାଇବେ ବୋଲି କହିଛନ୍ତି ।

ସେହିପରି ସସ୍ମିତ ପାତ୍ର ମଧ୍ୟ ବିଜୀୟ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଉଥରେ ସେବା କରିବାକୁ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନିକଟରେ କୃତଜ୍ଞତା ଜ୍ଞାପନ କରିବା ସହ ରାଜ୍ୟର ବିଭିନ୍ନ ବିଷୟରେ କାମ କରିବେ ବୋଲି ସେ କହିଛନ୍ତି । ଶିକ୍ଷା ଓ କୃଷି ଓ ସ୍ୱାସ୍ଥ୍ୟ ଦିଗକୁ ମଧ୍ୟ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସସ୍ମିତ ପାତ୍ର କହିଛନ୍ତି ।

ଅନ୍ୟପଟେ କଟକ ମେୟର ନିର୍ବାଚିତ ହେବାପରେ ରାଜ୍ୟସଭା ସାଂସଦ ପଦରୁ ସୁବାସ ସିଂହ ଇସ୍ତଫା ଦେଇଥିଲୋ ତାଙ୍କ ସ୍ଥାନରେ ଥିବା ଖାଲିସିଟ ଲାଗି ମଧ୍ୟ ଉପନିର୍ବାଚନ ପ୍ରକ୍ରିୟା ଚାଲିଛି । ବିଜେଡିରୁ ନିରଞ୍ଜନ ବିଶି ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ସରିଛି ପ୍ରାର୍ଥୀପତ୍ର ଯାଞ୍ଚ ପକ୍ରିୟା । ବିରୋଧୀ ପ୍ରାର୍ଥୀ ଦେଇ ନଥିବାରୁ ସେ ମଧ୍ୟ ରାଜ୍ୟସଭାକୁ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି । କେବଳ ଘୋଷଣାକୁ ଅପେକ୍ଷା ।