ମା’ କରୋନା ପଜିଟିଭ, ଶିଶୁ ସୁସ୍ଥ; ଟ୍ୱିଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମିତ ମା’ ଙ୍କ ଠାରୁ ଜନ୍ମ ହେଉଛନ୍ତି ସୁସ୍ଥ ଶିଶୁ । ଶିଶୁଙ୍କ ଦେହରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ । ଗଞ୍ଜାମ ଜିଲ୍ଲାର କୋଭିଡ ଡାକ୍ତରଖାନାରେ ଏପର୍ଯ୍ୟନ୍ତ ମୋଟ ୫୭ଟି ଶିଶୁ ଜନ୍ମ ହୋଇଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି ।


ଗଞ୍ଜାମ ଜିଲ୍ଲାରେ ପ୍ରତିଦିନ ରେକର୍ଡ ସଂଖ୍ୟକ କୋରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ଏହାସହ ମୃତକଙ୍କ ସଂଖ୍ୟା ମଧ୍ୟ ପ୍ରତ୍ୟେକ ଦିନ ଅଧିକ ରହୁଛି । ଏତିକି ବେଳେ ଆଜି ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର କୋଭିଡ ଡାକ୍ତରଖାନାରେ ୫୭ ଟି ଶିଶୁ ଜନ୍ମ ନେଇଛନ୍ତି । ୫୭ ଶିଶୁଙ୍କ ମଧ୍ୟରୁ ୩୦ ଜଣ ଶିଶୁ କରୋନା ସଂକ୍ରମିତ ମହିଳାଙ୍କ ଠାରୁ ଜନ୍ମ ନେଇଛନ୍ତି । ୩୨ ଶିଶୁଙ୍କ ମଧ୍ୟରୁ ୧୬ ଜଣ ପୁଅ ଏବଂ ଅନ୍ୟ ୧୬ ଜଣ କନ୍ୟା ସନ୍ତାନ ବୋଲି ଜଣାପଡିଛି ।

ତେବେ ରାଜ୍ୟ ପାଇଁ ଏହା ଅତି ଖୁସିର ଖବର ଯେ କରୋନା ସଂକ୍ରମିତ ମା’ ଙ୍କ ଠାରୁ ଜନ୍ମ ହେବା ସତ୍ତ୍ୱେ ବି କୌଣସି ଶିଶୁଙ୍କ କ୍ଷେତ୍ରରେ କରୋନାର ଲକ୍ଷଣ ନାହିଁ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି । କେବଳ ଏତିକି ନୁହେଁ ସଫଳ ଚିକିତ୍ସା ପରେ ସମସ୍ତ ମା’ କରୋନାରୁ ମଧ୍ୟ ସୁସ୍ଥ ହୋଇଛନ୍ତି ।