୨୦୨୪ ସାଧାରଣ ନିର୍ବାଚନ ପ୍ରସ୍ତୁତି; ନବୀନ ନିବାସରେ ପର୍ଯ୍ୟବେକ୍ଷକ ବୈଠକ

୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେ ଠୁ ଅଂଟା ଭିଡିଛି ବିଜେଡି | ଆରମ୍ଭ କରିଛି ପ୍ରସ୍ତୁତି । ପଂଚାୟତ ଓ ପୌର ନିର୍ବାଚନରେ ଏକତରଫା ସଫଳତା ପାଇଥିବା ବିଜେଡି ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠୁ କସରତ ଆରମ୍ଭ କରିଛି। ଆଜିଠୁ ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କ ବୈଠକ । ୨୦୨୪ ବିଧାନସଭା ନିର୍ବାଚନ ଦୃଷ୍ଟିରେ ରଖି ବିଜେଡି ଏବେଠୁ ରଣନୀତି ପ୍ରସ୍ତୁତ କରିଛି । ଆଜିଠୁ ୩ ଦିନ ଧରି ଚାଲିବ ବିଜେଡି ପର୍ଯ୍ୟବେକ୍ଷକଙ୍କ ବୈଠକ ହେବ । ଜିଲ୍ଲା ପର୍ଯ୍ୟବେକ୍ଷଙ୍କ ବୈଠକ ଡାକିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ୩ଦିନ ଧରି ଏହି ବୈଠକ ନବୀନ ନିବାସରେ ଅନୁଷ୍ଠିତ ହେବ ।

ଜିଲ୍ଲାୱାରୀ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୌର, ପଞ୍ଚାୟତ ସମୀକ୍ଷା ସହ ୨୦୨୪ ନିର୍ବାଚନ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ହେବ । ଜିଲ୍ଲାଗୁଡିକରେ ଥିବା ସଙ୍ଗଠନନ ସଫଳତା ନେଇ ମଧ୍ୟ ଆଲୋଚନା ହେବ । ପର୍ଯ୍ୟବେକ୍ଷଙ୍କ ସହ ସିଧାସଖଳ କଥା ହେବେ ନବୀନ । ସମସ୍ତଙ୍କୁ ଏକାସାଙ୍ଗରେ ନେଇ କିପରି ଦଳ ଆଗକୁ ବଢିବ ସେ ନେଇ କର୍ମୀଙ୍କୁ ଗୁରୁ ମନ୍ତ୍ର ଦେବେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

ବିଶେଷକରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଚୟନ ଓ ନୂଆ ନେତୃତ୍ୱଙ୍କୁ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟାକୁ ଦଳ ଏବେ ଚୂଡ଼ାନ୍ତ ରୂପ ଦେବାକୁ ସଜବାଜ ହେଉଛି। ନବୀନଙ୍କୁ ଦଳର ସୁପ୍ରିମୋ ପଦରେ ରଖାଇ ତାଙ୍କର ଉତ୍ତରାଧିକାରୀଙ୍କ ହାତରେ ରାଜ୍ୟ ଶାସନର ଡୋରି ଦେବାକୁ ପ୍ରସ୍ତୁତ ରଣନୀତିକୁ କାର୍ଯ୍ୟକାରୀ ନିମନ୍ତେ ଏବେଠୁ ଉଭୟ ସଂଗଠନ ଓ ମନ୍ତ୍ରିମଣ୍ଡଳ ସ୍ତରରେ ବ୍ୟାପକ ପରିବର୍ତ୍ତନ କରିବାକୁ ବିଜେଡି ନେତୃତ୍ୱ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ପୂର୍ବରୁ ସଂଗଠନକୁ ନୂଆ ରୂପ ଦେବାକୁ ବିଜେଡି ନେତୃତ୍ୱ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏଥିରେ ବିଶେଷକରି ଦଳର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ପରିବର୍ତ୍ତନ କରିବା ସମେତ ମହିଳା, ଯୁବ ଓ ଛାତ୍ର ସଂଗଠନ କର୍ମକର୍ତ୍ତା ସ୍ତରରେ ମଧ୍ୟ ଅଦଳବଦଳ ହେବ ବୋଲି ଜଣାପଡ଼ିଛି। ଏହାସହିତ କିଛି ନେତାଙ୍କୁ ମଧ୍ୟ ସରକାରର ବିଭିନ୍ନ ପଦପଦବୀରେ ଥଇଥାନ କରାଯିବ ଓ କେତେକଙ୍କୁ ବାଦ୍ ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ଏହି କ୍ରମରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକମାନଙ୍କୁ ସଂଗଠନ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତା ନୂଆ ଢଙ୍ଗରେ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟାକୁ ଶେଷ କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି । ଏହି ଦାୟିତ୍ୱ ହସ୍ତାନ୍ତରକୁ ନେଇ କାଳେ ଦଳରେ ବିରୋଧାଭାସ ହେବ ସେଥିପାଇଁ ସାଂଗଠନିକ ସ୍ତରରେ ବି ବଡ଼ଧରଣର ଅଦଳବଦଳ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହାପରେ ହିଁ ମନ୍ତ୍ରିମଣ୍ଡଳରେ ଅଦଳବଦଳ କରି ବିଜେଡି ନିଜର ନୂଆ ମୁଖିଆଙ୍କୁ ସ୍ୱାଗତ ନିମନ୍ତେ ଆବଶ୍ୟକ ବ୍ଲୁ ପ୍ରିଣ୍ଟକୁ କାର୍ଯ୍ୟକାରୀ ନିମନ୍ତେ ମାର୍ଗ ପ୍ରଶସ୍ତ କରିବ ବୋଲି ସୂଚନା ମିଳିଛି ।

ଅନ୍ୟପକ୍ଷରେ ଓଡ଼ିଶାରେ ଉଭୟ ବିଜେପି ଓ କଂଗ୍ରେସ ଏବେ ନିଜର ତ୍ରୁଟିପୂର୍ଣ୍ଣ ସାଂଗଠନିକ ରଣନୀତି ପାଇଁ ନିର୍ବାଚନରେ ବିଜେଡିକୁ ଟକ୍କର ଦେବା ଭଳି ସ୍ଥିତିରେ ନାହାନ୍ତି । ଉଭୟ ପଂଚାୟତ ଓ ପୌର ନିର୍ବାଚନରେ ବିଜେଡି ତୁଳନାରେ ଏହି ଦୁଇ ଦଳର ସ୍ଥିତି ଅତ୍ୟନ୍ତ ଦୟନୀୟ ରହିଥିଲେ ମଧ୍ୟ ତାକୁ ସୁଧାରିବା ଦିଗରେ ଏପର୍ଯ୍ୟନ୍ତ ଉଭୟ ବିଜେପି ଓ କଂଗ୍ରେସ ନେତୃତ୍ୱ ଆଗ୍ରହ ଦେଖାଇ ନାହାନ୍ତି । ବିଜେଡି ଶାସନ ପ୍ରତି ତୃଣମୂଳସ୍ତରରେ ଜନଆକ୍ରୋଶ ଥିଲେ ମଧ୍ୟ ସାଧାରଣ ଲୋକଙ୍କ ନିକଟତର ହେବାରେ ଉଭୟ ବିଜେପି ଓ କଂଗ୍ରେସ ଫେଲ୍ ମାରିଛନ୍ତି । ଆଉ ଦୁଇ ପ୍ରମୁଖ ବିରୋଧୀ ଦଳର ଏଭଳି ଦୁଃସ୍ଥିତିକୁ ସୁଯୋଗ ଭାବେ ନେଇ ବିଜେଡି ନିଜର ଉତ୍ତରାଧିକାରୀ ଚୟନ ଓ ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟାକୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶେଷ କରିବାକୁ ଯାଉଥିବା ଜଣାପଡ଼ିଛି ।