ଖରାଛୁଟି ନିଷ୍ପତ୍ତି ପରିବର୍ତ୍ତନକୁ ନେଇ ଏଭଳି ମତ ରଖିଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ

ବଦଳିବ କି ଖରା ଛୁଟି ନିଷ୍ପତ୍ତି ? ବଢ଼ିବ କି ୧୧ ଦିନିଆ ଖରା ଛୁଟିର ଅବଧି? ଜୁନ୍‌ ବଦଳରେ ମେ’ ମାସରୁ ମିଳିବ କି ସ୍କୁଲ ଯିବାରୁ ନିସ୍ତାର ।ଖରା ଛୁଟି ଅବଧି ବଢ଼ାଇବା ନିମନ୍ତେ ବିଭିନ୍ନ ଅଭିଭାବକ ମହଲ ପକ୍ଷରୁ ଦାବି ହେଉଥିବା ବେଳେ ଏ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ଏନେଇ ମନ୍ତ୍ରୀ ଦାସ କହିଛନ୍ତି, , ଖରାଛୁଟି ବଦଳାଇବା ଲାଗି ବିଭିନ୍ନ ବର୍ଗରୁ ଅନେକ ପ୍ରସ୍ତାବ ଗଣଶିକ୍ଷା ବିଭାଗ ନିକଟକୁ ଆସୁଛି। ହେଲେ ଏନେଇ ବିଭାଗ କୌଣସି ନିଷ୍ପତ୍ତି ନେଇନାହିଁ । ଯଦି ପରିସ୍ଥିତି ସେପରି କିଛି ଉପୁଜେ, ତା ହେଲେ ଗଣଶିକ୍ଷା ବିଭାଗ ସେନେଇ ବିଚାର କରିବ ।

ସେ କହିଛନ୍ତି, ଉଚ୍ଚ ଶିକ୍ଷା ବିଭାଗ ଜୁନ୍‌୧ରୁ ୧୬ ତାରିଖ ଯାଏ ଛୁଟି ଘୋଷଣା କରିଥିବା ବେଳେ ଗଣଶିକ୍ଷା ବିଭାଗର ଛୁଟି ଜୁନ୍‌ ୬ରୁ ଆରମ୍ଭ ହୋଇ ୧୬ ଯାଏ ଲାଗୁ ହେବ । ହେଲେ ମେ’ ଆରମ୍ଭରୁ ସ୍କୁଲ ସମୟରେ ହେବ ପରିବର୍ତ୍ତନ । ଏବେ ସକାଳ ସାଢେ ୬ଟାରୁ ସାଢେ ୧୦ଟା ପର୍ୟ୍ୟନ୍ତ ପାଠପଢ଼ା ହେଉଥିବା ବେଳେ ପିଲାମାନେ ଘରକୁ ଫେରିବା ପରେ ଅସହ୍ୟ ଖରାରା ଛଟପଟ ହେଉଛନ୍ତି। ଏହାକୁ ନଜରରେ ରଖି ମେ’ ଆରମ୍ଭରୁ ସକାଳ ୬ଟାରୁ ୯ଟା ପର୍ୟ୍ୟନ୍ତ ପାଠପଢ଼ା ହେବ । ଏହାଦ୍ୱାରା ଖରାର କୋପ ବଢ଼ିବା ଆଗରୁ ପିଲା ଘରେ ପହଞ୍ଚିଯିବେ ।

ଏହାସତ୍ତ୍ୱେ କିଛି ଅପ୍ରୀତିକର ପରିସ୍ଥିତି କିଛି ଉପୁଜିଲେ ନିଷ୍ପତ୍ତି ବଦଳା ଯାଇପାରେ । ବର୍ତ୍ତମାନ ଯାଏ କିଛି ନିଷ୍ପତ୍ତି ନିଆଯାଇ ନ ଥିବା ବେଳେ ସ୍କୁଲ ଚାଲୁ ରହିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପ୍ରତିବର୍ଷ ଖରା ଛୁଟି ୫୦ ଦିନ ପର୍ୟ୍ୟନ୍ତ ହୋଇଥାଏ। ହେଲେ ଗତ ୨ ବର୍ଷ ହେବ କରୋନା ଯୋଗୁ ପିଲାଙ୍କ ପାଠପଢ଼ା ବ୍ୟାହତ ହୋଇଛି। ତେଣୁ ଚଳିତ ବର୍ଷ ଖରା ଛୁଟିକୁ ୫୦ ଦିନ ବଦଳରେ ୧୧ଦିନରେ ସୀମିତ ରଖାଯାଇଛି।