କାଳିଆ ଯୋଜନା ପାଇଁ ୫୬୧୧ କୋଟି ଟଙ୍କାର ବ୍ୟୟବରାଦ

ଭୁବନେଶ୍ୱର : ବିଧାନସଭାରେ ଉପସ୍ଥାପନ ହୋଇଛି ନବୀନ ସରକାରର ପଞ୍ଚମ ପାଳିର ପ୍ରଥମ ବଜେଟ । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମୋଟ ୧ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ ବ୍ୟୟବରାଦ କରାଯାଇଛି । ଆଉ ଚଳିତ ବଜେଟରେ କାଳିଆ ଯୋଜନାକୁ ଗୁରୁତ୍ୱ ଦିଆଯାଇଛି । ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ କାଳିଆ ଯୋଜନା ପାଇଁ ବଜେଟରେ ୫୬୧୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଚାଷୀଙ୍କୁ ଆର୍ଥିକ ସହାୟତା ବାବଦକୁ ଏହି ଟଙ୍କା ଦିଆଯିବ । ରାଜ୍ୟର ପ୍ରାୟ ୭୫ ଲକ୍ଷ ଚାଷୀ ଏହି ଯୋଜନାର ଫାଇଦା ପାଇପାରିବେ ।

ଚାଷ ପାଇଁ କୃଷକଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଗତବର୍ଷ କାଳିଆ ଯୋଜନାର ଆରମ୍ଭ କରିଥିଲେ ନବୀନ ସରକାର । ରାଜ୍ୟ ସରକାରଙ୍କ ଏହି ଯୋଜନା ସେତେବେଳେ ଦେଶରେ ଚହଳ ପକାଇଥିଲା । ରଣ ଛାଡ ବଦଳରେ ଚାଷୀଙ୍କୁ ଆର୍ଥିକ ସହୟତା ଦେବାକୁ କାଳିଆ ଯୋଜନାର ଘୋଷଣା କରି ପୂରା ଦେଶରୁ ବାହାବା ସାଉଁଟିଥିଲେ ରାଜ୍ୟ ସରକାର । ଓଡିଶା କୃଷି ଉପରେ ନିର୍ଭରଶୀଳ ଥିବା ବେଳେ ଚାଷୀଙ୍କୁ ଫୋକସରେ ରଖିଛନ୍ତି ନବୀନ ସରକାର ।

ଚଳିତ ବଜେଟରେ ଚାଷୀଙ୍କୁ ଖୁସି କରି ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ ୫୦ ହଜାର ଟଙ୍କା ଋଣ ପାଇଁ ୧ ପ୍ରତିଶତ ସୁଧ ଓ ୫୦ ହଜାରରୁ ଅଧିକ ଟଙ୍କା ପାଇଁ ୨ ପ୍ରତିଶତ ସୁଧ ନେଉଥିବା ବେଳେ ଚଳିତ ବଜେଟରେ ଏଥିରେ କୃଷକଙ୍କୁ ବଡ ରିହାତି ଦେଇଛନ୍ତି ସରକାର । ଠିକ୍ ସମୟରେ ଋଣ ପରିଶୋଧ କରୁଥିବା ଚାଷୀ ମାନଙ୍କ ପାଇଁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ କୌଣସି ସୁଧ ଦେବାକୁ ପଡିବ ନାହିଁ । ଆଉ ଏଥିପାଇଁ ଚଳିତ ବଜେଟରେ ୮ ଶହ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।