ଅନ୍ୟ ରାଜ୍ୟରୁ ଆସିଥିବା ଶ୍ରମଜୀବୀକଙ୍କୁ ୩୬ଟି ଶିବିରରେ ରଖାଯାଇଛି: ସୁବ୍ରତ ବାଗଚୀ

ଭୁବନେଶ୍ୱର: ବିଭିନ୍ନ ରାଜ୍ୟରୁ ପ୍ରାୟ ୫୫୪୭ଜଣ ଶ୍ରମଜୀବୀ ଓଡ଼ିଶା ଫେରିଛନ୍ତି । ଏହି ଶ୍ରମଜୀବୀମାନଙ୍କୁ ୩୬ଟି ଶିବିରରେ ରଖାଯାଇ ଖାଦ୍ୟ ଓ ରହିବାର ବ୍ୟବସ୍ଥା କରାଯାଇଛି । ଏନେଇ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।  ସ୍ଥାନୀୟ ଗୀତଗୋବିନ୍ଦ ସଦନରେ ଶ୍ରୀ ବାଗଚୀ କହିଛନ୍ତି, ବର୍ତମାନ ରାଜ୍ୟ ସରକାର ଆକ୍ରାନ୍ତଙ୍କ ସଂପର୍କରେ ଆସିଥିବା  ୩୭ ଜଣଙ୍କୁ ଆଇସୋଲେସନରେ ରଖିଛନ୍ତି । ଆଇସୋଲେସନରେ ଭର୍ତି ହୋଇଥିବା ବ୍ୟକ୍ତିମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି ।

ଶ୍ରୀବାଗଚୀ କହିଛନ୍ତି, କୋରୋନା ଭାଇରସ ମୁକାବିଲା  ଏକ ଯୁଦ୍ଧର ସମୟ । ଏହି ଯୁଦ୍ଧରେ ଆମେମାନେ ପ୍ରହରୀ ଭଳି କାମ କରିବା । ଜଣେ ବ୍ୟକ୍ତିଙ୍କ ଦ୍ୱାରା ଅନେକ ଲୋକଙ୍କୁ ସଂକ୍ରମଣ ହେବାର ଆଶଙ୍କା ଥାଏ । ଯେଉଁ ବ୍ୟକ୍ତି ସଂକ୍ରମିତ ହେବ, ତାଠାରୁ ପୁଣି ଅନ୍ୟମାନଙ୍କୁ ସଂକ୍ରମଣ ବ୍ୟାପିବାରେ ସମ୍ଭାବନା ରହିଛି । ତେଣୁ ଯେତେଦିନ ପର୍ଯ୍ୟନ୍ତ ଆମକୁ ନିର୍ଦେଶ ଆସିନାହିଁ, ସେତେଦିନ ପର୍ଯ୍ୟନ୍ତ ବାହାରକୁ ଯିବା ନାହିଁ । ଆମେ ଦକ୍ଷିଣ କୋରିଆର ସୁପରସ୍ପେଡରଙ୍କ ଭଳି ହେବା ନାହିଁ । କାରଣ ଦକ୍ଷିଣ କୋରିଆର ଜଣେ ବ୍ୟକ୍ତି ୧୧୬୦ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ ।

ଆଜି ୨ଟା ୨୫ ମିନିଟ ସୁଦ୍ଧା ୧୮୯ଟି ଦେଶ କୋରୋନା ସଂକ୍ରମିତ ହୋଇଛନ୍ତି । ମୋଟ ୫ ଲକ୍ଷ ୩୭ ହଜାର ୧୭୮ଜଣ ସଂକ୍ରମିତ ହୋଇଛନ୍ତି । ସେହିଭଳି ମୃତ୍ୟୁ ସଂଖ୍ୟା ୨୪ ହଜାର ୧୨୬ରେ ପହଂଚିଛି । ଭାରତରେ ୭୫୩ ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୨୦ରେ ପହଂଚିଛି । ଆମେରିକାରେ ସର୍ବାଧିକ ୮୫ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ୧୩୦୦ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ସେହିଭଳି ଇଟାଲୀ, ଫ୍ରାନ୍ସ ଓ ଚୀନରେ ମଧ୍ୟ କରୋନା ସ୍ଥିତି ଖରାପ ଅଛି ।

ସେହିପରି ଶ୍ରୀ ବାଗଚୀ ଦିନକୁ ଅତିକମରେ ୭ରୁ ୮ ଥର ୨୦ ସେକେଣ୍ଡ ପାଇଁ ହାତ ଧୋଇବାକୁ ପରାମର୍ଶ ଦେଇଛନ୍ତି । ସାମାଜିକ ଦୂରତ୍ୱ ରକ୍ଷାକରନ୍ତୁ । ଅସୁବିଧା ହେଲେ ୧୦୪କୁ ଫୋନ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ଏଥି ସହ ସେ କହିଛନ୍ତି ଯେ, ବର୍ତମାନ ସଂଯମର ସମୟ । ଭୁଲ ଅଥବା ତ୍ରୁଟି ଦେଖୁଥିଲେ ସ୍ଥାନୀୟ ପ୍ରଶାସନକୁ ଜଣାନ୍ତୁ ।