‘ଜଓ୍ୱାଦ’ ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ କେନ୍ଦ୍ରୀୟ ଟିମ୍ : ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା

ସପ୍ତାହକ ମଧ୍ୟରେ ରିପୋର୍ଟ ପ୍ରଦାନ

ଭୁବନେଶ୍ୱର: ଜଓ୍ୱାଦ ବାତ୍ୟାରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଲା କେନ୍ଦ୍ରୀୟ ଟିମ୍‌ । କ୍ଷେତ୍ର ପରିଦର୍ଶନ ପରେ ମୁଖ୍ୟ ଶାସନ ସଚିବ, ଏସଆରସି, କୃଷି ବିଭାଗ ପ୍ରମୁଖ ସଚିବଙ୍କ ସହ ଆଲୋଚନା କରିଛନ୍ତି। ଏହାପରେ ଦିଲ୍ଲୀ ଫେରିଛି କେନ୍ଦ୍ରୀୟ ଟିମ । ବାତ୍ୟା ଜନିତ ଲଗାଣ ବର୍ଷାରେ ଚାଷୀଙ୍କର ବ୍ୟାପକ ଫସଲ ନଷ୍ଟ ହୋଇଥିବା କେନ୍ଦ୍ରୀୟ ଟିମ୍‌ ସଦସ୍ୟ ଡକ୍ଟର ମାନସ କୁମାର ସିହ୍ନା କହିଛନ୍ତି । ଧାନ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଚିନାବାଦାମ ପରି ଅର୍ଥକରୀ ଫସଲ, ପନିପରିବା ବିଲରେ ପଚିଯାଇଛି । ଚାଷୀଙ୍କୁ କିପରି ଉଚିତ୍‌ ସହାୟତା ମିଳିବ, କେନ୍ଦ୍ରୀୟ ଟିମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବ ।

କେନ୍ଦ୍ରୀୟ ଆନ୍ତଃ-ମନ୍ତ୍ରଣାଳୟ ଟିମ୍ଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା
• କେନ୍ଦ୍ରୀୟ ଆନ୍ତଃ-ମନ୍ତ୍ରଣାଳୟ ଟିମ୍ ଗତ ଦୁଇଦିନ ଧରି ଜଓ୍ୱାଦ୍ ବାତ୍ୟା ଓ ବର୍ଷା ପ୍ରଭାବିତ ବିଭିନ୍ନ ଅଂଚଳ ପରିଦର୍ଶନ କରିଥିଲେ ।
• ଆଜି ସଂଧ୍ୟାରେ ଏହି ଟିମ୍ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ସହ ଲୋକସେବା ଭବନ ସଭାଗୃହରେ କ୍ଷୟକ୍ଷତି ବିଷୟ ଆଲୋଚନା କରିଥିଲେ ।
• ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଭାରତୀୟ ପାଣିପାଗ ବିଭାଗଙ୍କ ପୁର୍ବାନୁମାନ ଅନୁସାରେ କୃଷକମାନଙ୍କୁ ପାଚିଲା ଶସ୍ୟ ଓ ଉଦ୍ୟାନଜାତ ଦ୍ରବ୍ୟ କ୍ଷେତରୁ ଆଣି ନିରାପଦ ସ୍ଥାନରେ ରଖିବାକୁ ପରାମର୍ଶ ଦିଆଯାଇଥିଲା । କୃଷକମାନେ ମଧ୍ୟ ବହୁ ଚେଷ୍ଟା କରିଥିଲେ ।
• ଏତେ କମ୍ ସମୟ ମଧ୍ୟରେ ସମସ୍ତ ଧାନ, ପନିପରିବା ଓ ଅନ୍ୟାନ୍ୟ ଖରିଫ୍ ଫସଲ ଅମଳ କରି ନିରାପଦ ସ୍ଥାନକୁ ଆଣିବା ସମ୍ଭବ ହୋଇନଥିଲା ।
• ଆଲୋଚନାରୁ ଜଣାପଡ଼ିଥିଲା ଯେ ପ୍ରାଥମିକ ଆଖି ଦେଖା ଆକଳନ ଅନୁସାରେ ୧୨ ଟି ଜିଲ୍ଲା ଅନ୍ତର୍ଗତ ୧୩୧ ଟି ବ୍ଲକ୍ରେ ପ୍ରାୟ ୫.୭୮ ଲକ୍ଷ ହେକ୍ଟର ଜମିର ଖରିଫ୍ ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ।
• ବର୍ତ୍ତମାନ କ୍ଷେତ୍ରସ୍ତରୀୟ କ୍ଷୟକ୍ଷତି ଆକଳନ କରାଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ କହିଥିଲେ । ପ୍ରକୃତ କ୍ଷୟକ୍ଷତି ଆକଳନ ପ୍ରାୟ ୭ ଦିନ ମଧ୍ୟରେ ସରିଯିବ ବୋଲି ଉନ୍ନୟନ କମିଶନର ଶ୍ରୀ ଜେନା କହିଥିଲେ ।
• ଖରିଫ ଫସଲ ପାଚିବା ସମୟରେ ଏହି ସାମୁଦ୍ରିକ ବାତ୍ୟା ଜନିତ ବର୍ଷା ଚାଷୀମାନଙ୍କର ପ୍ରଭୁତ କ୍ଷତି କରିଛି ବୋଲି କେନ୍ଦ୍ରୀୟ ଟିମ୍ର ସଦସ୍ୟମାନେ କହିଥିଲେ । ଜମିରେ ପାଣି ଜମି ରହିବାରୁ ଚାଷୀ ମଧ୍ୟ ରବି ଫସଲ ନିମନ୍ତେ ମଞ୍ଜି ବୁଣିବାରୁ ବଂଚିତ ହୋଇଛନ୍ତି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନ ଶ୍ରୀ ଜେନା କହିଥିଲେ ।
• ୬ ଜଣ ବିଶିଷ୍ଟ ଏହି ଟିମ୍ ଗୃହ ମନ୍ତ୍ରଣାଳୟର ଯୁଗ୍ମ ଶାସନ ସଚିବ ଶ୍ରୀ ସୌରଭ ରାୟଙ୍କ ନେତୃତ୍ୱରେ ଓଡ଼ିଶା ଆସି ଗଂଜାମ, ପୁରୀ, ଜଗତସିଂପୁର, କଟକ, ଯାଜପୁର ଓ କେନ୍ଦ୍ରାପଡ଼ା ଆଦି ଜିଲ୍ଲାର କ୍ଷତିଗ୍ରସ୍ତ ଅଂଚଳ ବୁଲି ଦେଖିବାସହ ଚାଷୀମାନଙ୍କ ସହିତ ସିଧା ସଳଖ ଆଲୋଚନା କରିଥିଲେ ।