ଦୀପାବଳି ପରେ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ !

ଭୁବନେଶ୍ଵର  : ଦୀପାବଳି ପରେ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଚାର ବିମର୍ଶ କରୁଛି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେଇ ପର‌୍ୟ୍ୟାୟ କ୍ରମେ ସ୍କୁଲ ଖୋଲିବାକୁ ଯୋଜନା ହୋଇଛି ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।

ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ସ୍କୁଲ ଖୋଲିବା ଏକ ସ୍ୱାଭାବିକ ପ୍ରକ୍ରିୟା। ଦୀପାବଳି ପରେ ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବ। ପିଲାମାନଙ୍କ ମଧ୍ୟରେ ସ୍କୁଲ ଯିବା ପାଇଁ ଆଗ୍ରହ ସୃଷ୍ଟି ହେଲାଣି। ବର୍ତ୍ତମାନ ପ୍ରାୟ ୭୦ ପ୍ରତିଶତ ଉପସ୍ଥାନ ଆସୁଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଯେ, ପିଲାମାନଙ୍କ ପାଇଁ ଶିକ୍ଷା ସହ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ। ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ସୁରୁଖୁରୁରେ ଚାଲିଛି। ଅନ୍ୟ ଶ୍ରେଣୀ ଗୁଡିକ ମଧ୍ୟ ଖୁବ ଶୀଘ୍ର ଖୋଲାଯିବ। ସରକାରଙ୍କର ରିଭାଇଜ୍‌ଡ ସିଲବସ ଅନୁସାରେ ପାଠ ପଢ଼ାଯିବା ବୋଲି କହିଛନ୍ତି ସ୍କୁଲ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ।

ମହାମାରୀ କରୋନା ସଙ୍କଟ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିଲା। ଅନଲାଇନ୍‌ରେ ପିଲାମାନେ ପାଠ ପଢୁଥିଲେ। ଏବେ ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ୍ ତଳକୁ ଖସିଥିବାରୁ ଅଷ୍ଟମରୁ ଦ୍ଵାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲାଯାଇଛି। ଏବେ ସରକାର ପ୍ରଥମରୁ ସପ୍ତମ ଶ୍ରେଣୀ ଯାଏଁ ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବାକୁ ସରକାର ଯୋଜନା କରୁଛନ୍ତି।