ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସ ଗିରଫ

ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କଲେ କେନ୍ଦ୍ରାଞ୍ଚଳ ଆଇଜି

ଭୁବନେଶ୍ୱର : ମାନବବାଦୀ ସଂଗଠନର ମୁଖ୍ୟ ମାନସ ଦାସ ଓ ପୁଅ ମନୋରଞ୍ଜନ ଦାସ ଗିରଫ । ମାନସ ଓ ମନୋରଞ୍ଜନଙ୍କୁ ଗିରଫ କରିଛି ଖୋର୍ଦ୍ଧା ପୋଲିସ । ଭୁବନେଶ୍ୱର ସହିଦନଗର ସ୍ଥିତ ବାସଭବନରୁ ମାନସଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ମାନସଙ୍କୁ ଗିରଫ କରିଛି ପୋଲିସ । ମାନସଙ୍କ ବିରୋଧରେ ୩୬୩, ୩୬୪, ୩୦୨, ୨୦୧, ୧୦୨(ବି), ୧୦୯, ୩୪ଆଇପିସି ଧାରା ଲାଗିଛି । ମାନସଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ବେଗୁନିଆ ଥାନାରେ ଥିବା ୨ମାମଲାରେ ଗିରଫ କରାଯାଇଛି । ମନୋରଂଜନଙ୍କ ବିରୋଧରେ ୩୬୩. ୩୦୭,୩୨୩, ୧୦୯, ୧୨୦(ବି), ୩୪ ଆଇପିସି ଧାରା ଲାଗିଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ।

ଅଗଷ୍ଟ ୨ରେ ସତ୍ୟବ୍ରତଙ୍କ ହତ୍ୟା ନେଇ ଅଭିଯୋଗ କରିଥିଲେ ଅଭିମାନପୁର ଗାଁର ବାପ-ପୁଅ । ଏହି ହତ୍ୟା ମାମଲାରେ ମାନସଙ୍କ ପ୍ରତ୍ୟେକ୍ଷ ସଂପୃକ୍ତି ନଥିଲେ ବି ପରୋକ୍ଷରେ ହତ୍ୟା ଧମକ ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗ ହୋଇଛି । ପୂର୍ବରୁ ମାନସ ଏକାଧିକ ଅପରାଧିକ କାର୍ଯ୍ୟରେ ଲିପ୍ତ ଥିବା ନେଇ ପ୍ରମାଣ ରହିଛି । ୨୦୧୯ରେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଝିଙ୍କିଝାଡ଼ି ଗ୍ରାମର ଜଣେ ଯୁବକଙ୍କୁ ମାନସ ଦାସ ଧମକ ଦେଉଥିବା ନେଇ ମାମଲା ରୁଜୁ ହୋଇଥିଲା । ସତ୍ୟବ୍ରତ ନାୟକ ହତ୍ୟା ଘଟଣାରେ ମାନସ ଗିରଫ ହୋଇଥିବା ବେଳେ, ନିର୍ଯାତନା ମାମଲାରେ ପୁଅ ମନୋରଞ୍ଜନଙ୍କୁ ଗିରଫ କରିଛି ପୋଲିସ । ହତ୍ୟା ମାମଲାରେ ପୂର୍ବରୁ ଅଗଷ୍ଟ ୪ରେ ୬ ଅଭିଯୁକ୍ତ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ ।

ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ଚାଲିଛି । ଗିରଫ ପରେ ମାନସଙ୍କୁ କୋର୍ଟ ଚାଲାଣ କରାଯିବ । ମାନସଙ୍କ ବିରୋଧରେ ଅନ୍ୟ ଯେକେହି ମଧ୍ୟ ଏତଲା ଦେଇପାରିବେ ବୋଲି ପ୍ରେସମିଟରେ କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି । ଏଥିସହ ସବୁ ଅଭିଯୋଗର ନିରପେକ୍ଷ ତଦନ୍ତର ଆଶ୍ୱାସନା ଦେଇଛନ୍ତି । ବାପପୁଅଙ୍କୁ ପିଟିବା ଭିଡିଓ ଭାଇରାଲ ପରେ ବିବାଦରେ ଥିଲେ ମାନସ । ବେଗୁନିଆ ଅଞ୍ଚଳରେ ଆତଙ୍କରାଜ ଚଳାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ମାଡ଼ମରା ଘଟଣା ପରେ ପୋଲିସ ମାନସ ଦାସଙ୍କ ବିରୋଧରେ ତଦନ୍ତ ଚଳାଇଥିଲା ।