ଭୁବନେଶ୍ୱର : ଚଳିତ ବର୍ଷ ମୈାସୁମୀ ବର୍ଷା ଅଭାବ କାରଣରୁ ରାଜ୍ୟର ଅଧିକାଂଶ ଜିଲ୍ଲା ଆଜି ପାୟତଃ ମରୁଡି ଆସନ୍ନ । ବାସ୍ତବସ୍ଥିତିକୁ ଭଲ ଭାବେ ଆକଳନ କଲେ ରାଜ୍ୟରେ ଭୟଙ୍କର ମରୁଡି ସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଚାଷୀକୁଳ ବର୍ତମାନଠାରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏହି ଚିନ୍ତାଜନକ ଖବର ପ୍ରତିଦିନ ବିଭିନ୍ନ ଗଣମାଧ୍ୟମରେ ଲଗାତାର ଭାବେ ପ୍ରକାଶ ପାଉଛି । ଭାରତୀୟ ପାଣିପାଗ ସଂସ୍ଥା (ଆଇଏମ୍ଡି) ର ବାରମ୍ବାର ପୂର୍ବାନୁମାନ ସତ୍ୱେ ବର୍ତମାନ ସୁଦ୍ଧା କୈାଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି ରାଜ୍ୟ ସରକାର । ଦୀର୍ଘ ୨୧ ବର୍ଷ ଧରି ରାଜ୍ୟରେ ନିରୁଙ୍କଶ ଶାସନ କ୍ଷମତା ଏବଂ ପ୍ରଚାର ସର୍ବସ୍ୱ ବିଜେଡି ସରକାର କେବଳ କଥାରେ ସୀମିତ । ମାତ୍ର ଘେଷଣା କରିଥିବା ବିଭିନ୍ନ ଜଳସେଚନ, ମେଗାଲିଫ୍ଟ ଇରିଗେସନ ଆଦି କୃଷକ କଲ୍ୟାଣ ଯୋଜନାକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଛନ୍ତି । ରାଜ୍ୟରେ ଆସନ୍ନ ମରୁଡି ସ୍ଥିତି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସଠିକ୍ ଖବର ଅଛି ତ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି ।
ଚାଷୀକୁଳ ପ୍ରତି ରାଜ୍ୟ ସରକାର ଏତେ ସମ୍ବେଦନହୀନତା କାହିଁକି? ରାଜ୍ୟରେ ଦୀର୍ଘ ଦିନ ଧରି ସ୍ଥାୟୀ ସରକାର ଥିବା ସତ୍ୱେ ଆଜି ରାଜ୍ୟର ଚାଷୀକୁଳ ପାଣି ପାଇଁ ମୁଣ୍ଡରେ ହାତ ଦେଇ ବିଲ ମଝିରେ ବସି ରହିବା ଦୃଶ୍ୟ ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ ହୋଇଛି । ଏହି ଦୃଷଷ୍ଟିରୁ ରାଜ୍ୟ ସରକାର ଏକ୍ସପର୍ଟମମାନଙ୍କୁ ନେଇ ତୁରନ୍ତ ଏକ ଟାସ୍କ ଫୋର୍ସ ଓ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିବା ସହ ଯୁଦ୍ଧକାଳୀନ ଭିତିରେ ମରୁଡି ଆସନ୍ନ ଜିଲ୍ଲାମାନଙ୍କରେ ନିକଟସ୍ଥ ଜଳ ଉତ୍ସ ସ୍ଥାନମାନଙ୍କରୁ ପାଣି ଯୋଗାଇ ଦେବାକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଦାବୀ କରିଛନ୍ତି । ଏଥି ସହ ବିଭାଗୀୟ ସଚିବମାନଙ୍କୁ ମରୁଡି ଆସନ୍ନ ଅଂଚଳକୁ ପ୍ରେରଣ କରି ସଂକଟର ସମାଧାନ ପାଇଁ ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ କରିବାକୁ ଶ୍ରୀ ମହାନ୍ତି ରାଜ୍ୟସରକାରଙ୍କ ନିକଟରେ ଦାବୀ ଜଣାଇଛନ୍ତି ।
ରାଜ୍ୟ ବିଜେପି ତରଫରୁ ଆସନ୍ନ ମରୁଡି ସ୍ଥିତି ଆକଳନ କରିବା ପାଇଁ ୪ଟି ଟିମ୍ ଗଠନ ହୋଇଛି । ପୂର୍ବତନ ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ବସନ୍ତ ପଣ୍ଡା, ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବରିଷ୍ଠ ନେତା ମନମୋହନ ସାମଲ, ବିରୋଧୀ ଦଳ ମୁଖ୍ୟ ସଚେତକ ବିଧାୟକ ମୋହନ ଚରଣ ମାଝୀ ଏବଂ ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ୱରେ ଗଠିତ ଏହି ଚାରିଟି ଟିମ୍ ବିଭିନ୍ନ ମରୁଡି ଅଂଚଳ ଗସ୍ତ କରି ସାଂପ୍ରତିକ ପରିସ୍ଥିତି ସଂପର୍କରେ ରିପୋର୍ଟ ପ୍ରଦାନ କରିବେ । ରିପୋର୍ଟ ହସ୍ତଗସ୍ତ ହେବା ପରେ କେଉଁ ଭଳି ଭାବେ ଚାଷୀକୁଳକୁ ସାହାଯ୍ୟ କରି ହେବ, ସେ ସଂପର୍କରେ ଆମେ ରାଜନୈତିକ ଖସଡା ପ୍ରସ୍ତୁତ କରିବୁ ବୋଲି ଶ୍ରୀ ମହାନ୍ତି ସୁଚନା ଦେଇ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଦିଲୀପ ମଲ୍ଲିକ ଏବଂ କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ କାମାକ୍ଷା ପ୍ରସାଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।