ନୂଆ ଶିକ୍ଷା ନୀତିରେ ଗବେଷଣା ପାଇଁ ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଖର୍ଚ୍ଚ କରିବାର ଯୋଜନା-ଧର୍ମେନ୍ଦ୍ର ପ୍ରଧାନ

ଲୋକସଭାରେ ନୂଆ ଶିକ୍ଷା ନୀତି ସମ୍ପର୍କୀତ ପ୍ରଶ୍ନର ଉତର ରଖିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର :  ଭାରତ ସରକାର ଦେଶରେ ଗବେଷଣା ପରିସଂସ୍ଥାନକୁ ଅଧିକ କ୍ରିୟାଶୀଳ ଏବଂ ସୁଦୃଢ଼ କରିବା ପାଇଁ ନୂଆ ଜାତୀୟ ଶିକ୍ଷା ନୀତି (ଏନଇପି-୨୦୨୦) ଅନ୍ତର୍ଗତ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ(ଏନଆରଏଫ) ଗଠନ କରିବା ସହ ଆଗାମୀ ୫ ବର୍ଷ ମଧ୍ୟରେ ୫୦ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବାର ଯୋଜନା ରଖିଛନ୍ତି ବୋଲି ଲୋକସଭାରେ ଏକ ପ୍ରଶ୍ନର ଉତରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 ଦେଶରେ ଗବେଷଣା ପରିସଂସ୍ଥାନକୁ ଅଧିକ କ୍ରିୟାଶୀଳ କରିବ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ
 ଗବେଷଣା ଏବଂ ବିକାଶ, ଶିକ୍ଷାନୁଷ୍ଠାନ ଓ ଉଦ୍ୟୋଗ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବ ଏନଆରଏଫ
 ନୂଆ ଶିକ୍ଷା ନୀତିରେ ଶିକ୍ଷା, ଗବେଷଣା ଏବଂ ଦକ୍ଷତା ବିକାଶରେ ଆଂଚଳିକ ଭାଷାକୁ ଅଧିକ ପ୍ରଧାନ୍ୟ ଦିଆଯାଉଛି
ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଗବେଷଣା ପରିସଂସ୍ଥାନକୁ ଅଧିକ କ୍ରିୟାଶୀଳ ଏବଂ ସୁଦୃଢ଼ କରିବା ପାଇଁ ସରକାର ଏକ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏନଆରଏଫ ଏପରି ଏକ ଅଭିନବ ସଂରଚନା ପ୍ରସ୍ତୁତ କରିବ, ଯାହା ଗବେଷଣା ଏବଂ ବିକାଶ (ଆର ଆଣ୍ଡ ଡ଼ି), ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବ । ଆଗାମୀ ୫ ବର୍ଷ ମଧ୍ୟରେ ରାଷ୍ଟ୍ରୀୟ ଅନୁସନ୍ଧାନ ଫାଉଣ୍ଡେସନ ବା ଏନଆରଏଫରେ ୫୦ ହଜାର କୋଟି ଟଙ୍କା ବ୍ୟୟର ପ୍ରସ୍ତାବ ହୋଇଛି । ଏନଆରଏଫର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିକ୍ଷାନୁଷ୍ଠାନ ବିଶେଷ ଭାବରେ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଗବେଷଣାକୁ ପ୍ରୋତ୍ସାହନ ଦେବା ସହ ସାମଗ୍ରିକ ଗବେଷଣା ବ୍ୟବସ୍ଥାକୁ ଅଧିକ ସଦୃଢ଼ କରିବା । ଏନଆରଏଫ ପ୍ରାସଙ୍ଗିକ ମନ୍ତ୍ରଣାଳୟ, ବିଭାଗ ଏବଂ ସରକାରୀ ତଥା ଅଣସରକାରୀ ସଂସ୍ଥା ବିଶେଷ ଭାବରେ ଉଦ୍ୟୋଗ ସହ ମିଳିତ ଭାବେ ଅଧିକ ପ୍ରଭାବୀ, ବୃହତ ଆକାରର ଏକାଧିକ ଗବେଷକ, ଏକାଧିକ ଅନୁଷ୍ଠାନ, ଅନ୍ତଃବିଷୟ ଗବେଷଣାକୁ ଅନୁଦାନ ଦେବା ସହ ସହଯୋଗ କରିବ ।
ଦୀର୍ଘ ୩୪ ବର୍ଷ ପରେ ୨୯ ଜୁଲାଇ ୨୦୨୦ରେ ଭାରତ ସରକାର ଜାତୀୟ ଶିକ୍ଷା ନୀତି,୨୦୨୦ ଘୋଷଣା କଲେ । ଶିକ୍ଷା କ୍ଷେତ୍ରରେ ଏକ ପରିବର୍ତନ ଆଣିବା ଏହାର ଲକ୍ଷ୍ୟ ଥିଲା । ଏହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା ଶିକ୍ଷା କ୍ଷେତ୍ରରେ ଆଂଚଳିକ ଭାଷାକୁ ଅଗ୍ରାଧିକାର ଦେଇ ଏହାର ବ୍ୟବହାର କରିବା । ଏହି ପରିପ୍ରେକ୍ଷୀରେ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ମେଡ଼ିକାଲ ପ୍ରବେଶିକା ପାଇଁ ଅନୁଷ୍ଠିତ ନିଟ୍ ପରୀକ୍ଷା ୧୧ଟି ଭାଷାରେ ହେଉଥିବା ବେଳେ ଏବେ ଛାତ୍ରଛାତ୍ରୀମାନେ ୧୩ଟି ଭାଷାରେ ପରୀକ୍ଷା ଦେବେ । ପୂର୍ବରୁ ୩ଟି ଭାଷାରେ ଅନୁଷ୍ଠିତ ହେଉଥିବା ଜେଇଇ(ମେନ୍‌) ପରୀକ୍ଷା ବର୍ତମାନ ୧୩ଟି ଭାଷାରେ କରାଯିବ ।
ଅନୁରୂପ ଭାବରେ ୨୦୨୧-୨୨ ଶିକ୍ଷା ବର୍ଷରେ ଏଆଇସିଟିଇ ସ୍ୱୀକୃତି ପ୍ରାପ୍ତ ଅନୁଷ୍ଠାନ ଗୁଡ଼ିକରେ ପରୀକ୍ଷାମୂଳକ ଭାବରେ ୮ଟି ଆଂଚଳିକ ଭାଷାରେ ବୈଷୟିକ ଶିକ୍ଷା ପ୍ରଦାନ କରାଯିବ । ସ୍ୱୟମ୍ ପ୍ଲାଟଫର୍ମ ମାଧ୍ୟମରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଆଂଚଳିକ ଭାଷାରେ ଅନୁବାଦିତ ବିଷୟବସ୍ତୁ ପ୍ରସ୍ତୁତ କରାଯିବ ।
ଏହା ବିଜ୍ଞାନ, ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟା, ମାନବିକ ଓ ସମାଜିକ ବିଜ୍ଞାନ, ଆଇନ, ମ୍ୟାନେଜମେଂଟ୍ ଭଳି ବିଷୟରେ ଏହି ପ୍ଲାଟଫର୍ମ ଅନଲାଇନ ପାଠ୍ୟକ୍ରମ ପ୍ରଦାନ କରିଆସୁଛି । ସେହିପରି ଆଂଚଳିକ ଭାଷାରେ ଶିକ୍ଷାଦାନ କରିବା ପାଇଁ ଇଚ୍ଛୁକ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ ଏଆଇସିଟିଇ ହ୍ୟାଣ୍ଡବୁକ୍ ପ୍ରସ୍ତୁତ କରାଯାଇଛି । “ଏଆଇସିଟିଇ ଟ୍ରାନ୍ସଲେସନ ଅଟୋମେସନ ଆଟିଫିସେଲ ଇଂଟେଲିଜେନ୍ସ ଟୁଲ୍‌” ଗ୍ରାମାଂଚଳର ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଭାଷାର ଅନଲାଇନ ପାଠ୍ୟକ୍ରମକୁ ସ୍ଥାନୀୟ
ଭାଷା ଯଥା ହିନ୍ଦୀ, ବଙ୍ଗାଳୀ, ମରାଠି, ତେଲୁଗୁ, ତାମିଲ, ଗୁଜୁରାଟୀ, କନ୍ନଡ଼, ମାଲାୟାଲାମ, ପଞ୍ଜାବୀ, ଆସାମୀ, ଓଡ଼ିଆ ଭାଷାରେ ଅନୁବାଦ କରୁଛି । ହରିୟାଣା ସରକାର ଏବଂ ଏଆଇସିଟିଇ ମଧ୍ୟରେ ହିନ୍ଦୀରେ ୧ ହଜାର ପୁସ୍ତକ ପ୍ରକାଶ କରିବା ପାଇଁ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଛି । ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଷ୍ଟୁଡେଂଟ୍ ଇଣ୍ଡକ୍ସନ ପ୍ରୋଗ୍ରାମ(ଏସଆଇପି)କୁ ଆଂଚଳିକ ଭାଷାରେ ଉପଲବ୍ଧ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।