ଫକୀର ମୋହନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହେଲେ ସନ୍ତୋଷ କୁମାର ତ୍ରିପାଠୀ 

ବାଲେଶ୍ୱର: ଫକୀର ମୋହନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ହେଲେ ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ । ତାଙ୍କୁ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ସୂଚନା ଅନୁଯାୟୀ, ତାଙ୍କୁ ଆସନ୍ତା ୪ ବର୍ଷ ପାଇଁ ଫକିର ମୋହନ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତ କରାଯାଇଛି । ଶ୍ରୀ ତ୍ରିପାଠୀ ଉତ୍କଳ ବିଶ୍ୱବିଦ୍ୟାଳୟର ପିଏମ୍ ଆଇଆର ବିଭାଗର ପ୍ରଫେସର ଥିଲେ । ତେବେ ତାଙ୍କର ୩୦ ବର୍ଷରୁ ଅଧିକ ହେବ ଶିକ୍ଷକତା ଅଭିଜ୍ଞତା ରହିଛି । ସେ ୧୦ଟି ପୁସ୍ତକ ଲେଖିଥିବା ବେଳେ, ୧୭ ଜଣ ପିଏଚଡି ଓ ୪୦ ଜଣ ସ୍କଲାରଙ୍କୁ ଗାଇଡ କରିଥିବା ଜଣାପଡିଛି ।
ବିଶ୍ୱବିଦ୍ୟାଳୟର ନୂଆ କୁଳପତି ଭାବେ ନିଯୁକ୍ତି ପାଇବା ପରେ ପ୍ରଫେସର ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଫକୀର ମୋହନ ବିଶ୍ୱବିଦ୍ୟାଳୟକୁ ଏ ପ୍ଲସ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ନେଇ ଉଦ୍ୟମ କରିବେ । ଏଥିସହ ଦେଶର ଶହେଟି ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ସ୍ଥାନିତ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ୨୩ ନଭେମ୍ବର ୨୦୨୦ରେ ଉତ୍କଳ ବିଶ୍ୱବିଦ୍ୟାଳୟ ସମେତ ୬ଟି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରାଯାଇଥିଲା । ସେତେବେଳେ କ୍ଲଷ୍ଟର ଇନୋଭେସନ ସେଣ୍ଟର ନିର୍ଦ୍ଦେଶକ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟର ବଟାନି ପ୍ରଫେସର ଦିନବନ୍ଧୁ ସାହୁଙ୍କୁ ୪ ବର୍ଷ ପାଇଁ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଥିଲା । ହେଲେ ୪ ମାସ ମଧ୍ୟରେ ପ୍ରଫେସର ଦିନବନ୍ଧୁ ସାହୁ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ । ସେବେଠାରୁ ବାରିପଦା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି କିଶୋର କୁମାର ବାସାଙ୍କୁ ଅତିରିକ୍ତ ଭାବେ ଫକୀର ମୋହନ ବିଶ୍ୱବିଦ୍ୟାଳୟର ଦାୟିତ୍ୱ ଦିଆଯାଇଥିଲା ।