କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ କମିଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ କ୍ୟାବିନେଟରେଓଡ଼ିଆଙ୍କୁ ଗୁରୁ ଦାୟିତ୍ୱ । ନୂଆକରି ଗଠିତ କ୍ୟାବିନେଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କମିଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାମିଲ କରାଯାଇଛି । ଗୁରୁତ୍ବପୂର୍ଣ୍ଣ “କ୍ୟାବିନେଟ କମିଟି ଅନ୍ ଇକୋନୋମିକ ଅଫେୟାର୍ସ”ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଥାନ ଦିଆଯାଇଛି । ଏହି କମିଟି ଦେଶର ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନୀତି ଓ ପଲିସି ନିର୍ଦ୍ଧାରଣ କରିଥାଏ । ଏ କମିଟିର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନିଜେ ହୋଇଥାନ୍ତି । ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ବିଭାଗର ଦାୟିତ୍ଵ ତୁଲାଉଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ପ୍ରଥମ ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ, ଯେ ସାମାଜିକ ଭିତ୍ତିଭୂମିର ବିଭାଗ ତୁଲାଇଥିଲେ ମଧ୍ୟ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ “କ୍ୟାବିନେଟ କମିଟି ଅନ୍ ଇକୋନୋମିକ ଆଫେୟାର” ଦାୟିତ୍ଵ ଭାର ଦିଆଯାଇଛି। ଏହା ସହିତ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କ୍ୟାବିନେଟ୍ କମିଟି ଅନ୍ ଏମ୍ପଲୋଏମେଣ୍ଟ ଏବଂ ସ୍କିଲ୍ ଡେଭଲପମେଣ୍ଟର ବି ସଦସ୍ୟ ହୋଇଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ମଧ୍ୟ କେନ୍ଦ୍ର କ୍ୟାବିନେଟ କମିଟିରେ ସାମିଲ କରାଯାଇଛି । ଦକ୍ଷତା ବିକାଶ ଏବଂ ରୋଜଗାର ସମ୍ପର୍କିତ କମିଟିରେ ସେ ସ୍ଥାନ ପାଇଛନ୍ତି।

ଘୋଷଣା ହୋଇଥିବା ୮ଟି ଯାକ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଗୃହମନ୍ତ୍ରୀ ଅମିତ ଶାହା ପୂର୍ବପରି ରହିଛନ୍ତି । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ୬ ଟି କମିଟିରେ ରଖାଯାଇଛି । ରାଜନାଥ ସିଂଙ୍କୁ କେବଳ ଦୁଇଟି କମିଟିର ସାମିଲ କରାଯାଇ ନାହିଁ । ଏଥିସହ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ୭ ଟି କମିଟିରେ ସ୍ଥାନ ଦିଆଯାଇଛି । ଏହା ବ୍ୟତୀତ ନବ ନିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଗୋଟିଏ କମିଟିରେ ସ୍ଥାନ ପାଇଛନ୍ତି । ଦକ୍ଷତା ବିକାଶ ଏବଂ ରୋଜଗାର ସମ୍ପର୍କିତ କମିଟିରେ ସେ ସ୍ଥାନ ପାଇଛନ୍ତି ।