ସମ୍ପ୍ରସାରଣ ପରେ ପ୍ରଥମ କ୍ୟାବିନେଟ ବୈଠକ: କରୋନା ଲଢେଇ ପାଇଁ ୨୩,୦୦୦କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ :  କ୍ୟାବିନେଟ ସଂପ୍ରସାରଣ ପରେ  ଗୁରୁବାର ବସିଥିବା ପ୍ରଥମ କ୍ୟାବିନେଟ୍‌ ବୈଠକରେ କୃଷି ଏବଂ ସ୍ବାସ୍ଥ୍ୟକୁ ନେଇ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଓ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। କରୋନା ସଙ୍କଟ ମଧ୍ୟରେ ସ୍ବାସ୍ଥ୍ୟ ସୁବିଧାକୁ ନେଇ ମୋଦୀ ସରକାର ୨୩,୧୨୩ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍‌ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି, ଭାରତ ସରକାର ୨୩,୧୨୩ କୋଟି ଟଙ୍କାର ଏକ ଜରୁରିକାଳୀନ ପ୍ରତିକ୍ରିୟା ଏବଂ ସ୍ବାସ୍ଥ୍ୟ ପ୍ରଣାଳୀ ପ୍ରସ୍ତୁତ କରିବା ପାଇଁ ପ୍ୟାକେଜ୍‌ ଫେଜ୍‌-୨କୁ ମଞ୍ଜୁରୀ ଦେଇଛନ୍ତି।

ଜରୁରିକାଳୀନ ପ୍ୟାକେଜ୍‌ ଘୋଷଣା କରିବା ସହ ସ୍ବାସ୍ଥ୍ୟମନ୍ତ୍ରୀ ମାଣ୍ଡଭିୟ କହିଛନ୍ତି, ୨୦୨୦ରେ କରୋନା ମହାମାରୀ ମୁକାବିଲା ପାଇଁ କେନ୍ଦ୍ର ସରକାର ପ୍ରଥମ ଫେଜ୍‌ରେ ୧୫ ହଜାର କୋଟି ଟଙ୍କା ଜାରି କରିଥିଲେ। ଏହି ଟଙ୍କାରେ କୋଭିଡ୍‌ ସମର୍ପିତ ହସ୍ପିଟାଲ ୧୬୩ରୁ ୪,୩୮୯ ରେ ପହଞ୍ଚିଛି। ପ୍ରଥମେ କୋବିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ର ନଥିଲା ଯାହାକି ଏବେ ୮,୩୩୮ଟି ଅଛି। କୋଭିଡ କେୟାର ସେଣ୍ଟର ସଂଖ୍ୟା ୧୦ ହଜାର ହୋଇଛି। ଅକ୍ସିଜେନ୍‌ ବେଡ୍‌ ୪ ଲକ୍ଷରୁ ଅଧିକ ରହିଛି।

ଏହାସହ ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଦ୍ବିତୀୟ କରୋନା ଲହରରେ ଯେଉଁ ଅସୁବିଧା ସାମ୍ନାକୁ ଆସିଛି ତାହାକୁ ଦେଖି ସରକାର ୨୩ ହଜାର କୋଟି ଟଙ୍କାର ଆଉ ଏକ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହି ପ୍ୟାକେଜ୍‌ରୁ କେନ୍ଦ୍ର ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଥିବା ବେଳେ ରାଜ୍ୟ ସରକାରଙ୍କୁ ୮ ହଜାର କୋଟି ଟଙ୍କା ଦିଆଯିବ। ଏହା ବ୍ୟତୀତ କରୋନା ମହାମାରୀ ସହ ସାମୂହିକ ଭାବେ ଲଢ଼େଇ କରିବାକୁ ହେବ। ୯ ମାସର ସୀମା ଅବଧିରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ମିଳିତ ଭାବେ ଅତିକ୍ରମ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।