୨୦୨୨ରୁ ପୁରୀରୁ ବିମାନ ଉଡ଼ିବ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ

ଭୁବନେଶ୍ବର: ୨୦୨୨-୨୩ ରୁ ପୁରୀରୁ ବିମାନ ଉଡ଼ିବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେ କହିଛନ୍ତି, ଆସନ୍ତା ୨୦୨୨-୨୩ ସୁଦ୍ଧା ପୁରୀରୁ ଉଡ଼ିବ ବିମାନ। ସବୁ ଠିକଠାକ୍ ଚାଲିଲେ ଏହାର ସମ୍ଭାବନା ଅଧିକ। ପୁରୀରେ ବିମାନ ବନ୍ଦର ପାଇଁ ଜାଗା ଚିହ୍ନଟ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରଥମେ ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ଉପରେ ଚୂଡ଼ାନ୍ତ ମୋହର ବାଜିବ। କରୋନା ପରିସ୍ଥିତି ପାଇଁ କାମ ସାମାନ୍ୟ ବିଳମ୍ବିତ ହୋଇଛି । ରାଜ୍ୟର ଉତ୍‌କେଲା, ରାଉରକେଲା ଓ ଜୟପୁର ପ୍ରଭୃତି ସ୍ଥାନରୁ ବିମାନ ଉଡାଣ ପାଇଁ ରାଜ୍ୟ ସରକାର ସହଯୋଗ କରୁଛନ୍ତି । ସେହିପରି ସମସ୍ତ ଅବିଭକ୍ତ ଜିଲ୍ଲାରେ ଥିବା ଏୟାର୍ ଷ୍ଟ୍ରିପ୍‌ର ଉନ୍ନତି ପାଇଁ ଆଲୋଚନା ହୋଇଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।

ଶ୍ରୀକ୍ଷେତ୍ରକୁ ପୁରୀକୁ ବିଶ୍ୱ ଐତିହ୍ୟ ସହରର ଭାବେ ଗଢିତୋଳିବାକୁ ରାଜ୍ୟ ସରକାର କାମ ଆରମ୍ଭ କରିଛନ୍ତି ।  ଏହାମଧ୍ୟରେ ଦେଶର ବିଭିନ୍ନ ରାଜ୍ୟ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଗମନାଗମନକୁ ଆହୁରି ସରଳ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ । ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇ କେନ୍ଦ୍ର ସରକାର ପୁରୀର କେଉଁ ଜାଗାରେ ବିମାନ ବନ୍ଦର ହୋଇ ପାରିବ ସେହି ସ୍ଥାନ ନିରୂପଣ କରିବାକୁ ଏକ ଟିମ ପଠାଇଥିଲେ । ନିକଟରେ କେନ୍ଦ୍ରୀୟ ଟିମ ପୁରୀରେ ଏୟାରପୋର୍ଟ ସ୍ଥାନ ଦେଖି ଫେରିଛନ୍ତି ।