ବଢିଲା ଟିକା କେନ୍ଦ୍ରରେ ଫଟୋ ବିବାଦ : ଟୁଇଟ କରି ବିଜେଡିକୁ ଜବାବ ଦେଲେ ବିଜେପି ମହିଳା ନେତ୍ରୀ ଐଶ୍ଚର୍ଯ୍ୟା

ଭୁବନେଶ୍ୱର: ଟିକା କରଣରେ ଫଟୋକୁ ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ବିଜେଡି ଓ ବିଜେପି ଭିତରେ ଆରୋପ ପ୍ରତ୍ୟାରୋପ ବି ବଢି ବଢି ଚାଲିଛି । ବିଜେପି ସାଂସଦ ଅପରାଜିତା ସଡଙ୍ଗୀ ଓ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ମୁହାଁ ମୁହିଁ ହେବା ପରେ ପୁଣି ଏବେ ସାମ୍ନାକୁ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ସମ୍ପାଦିକା ଡ.ଐଶ୍ଚର୍ଯ୍ୟା ବିଶ୍ୱାଳ । ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର ଟିକା କରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହିବକୁ ବିଜେପି କର୍ମୀଙ୍କ ପ୍ରତିବାଦ ଉପରେ ଟୁଇଟ କରିଥିଲେ ଆଉ ଏବେ ଏହାର ଜବାବ ରଖି ସାଂସଦ କାହିଁକି ଅସମ୍ବେଦନଶୀଳ ହେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଐଶ୍ଚର୍ଯ୍ୟା । ସେ ତାଙ୍କ ଟୁଇଟରେ ଲେଖିଛନ୍ତ,ି ସାରା ଦେଶରେ ହାହାକାର କରିଥିଲା କରୋନା । କିନ୍ତ ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁରଦର୍ଶିତା ଓ ଦୃଢ ନେତୃତ୍ୱ ଯୋଗୁଁ କରୋନାର ମାତ୍ରାକୁ ଆମେ କମାଇ ପାରିଲୁ। ବିଶ୍ୱରେ ଭାରତ ପ୍ରଥମ ଦେଶ ଯିଏକି ନିଜ ସ୍ୱଦେଶୀ ଜ୍ଞାନ କୈଶଳରେ ପ୍ରଥମେ କରୋନା ଟିକା ଆବିଷ୍କାର କଲା । ଆଜି ସୁଦ୍ଦା ଦେଶରେ ୩୦ କୋଟି ଟୀକା ଦିଆ ସରିଲାଣି । କେନ୍ଦ୍ର ସରକାର ସାରା ଦେଶବାସୀଙ୍କୁ ଏବେ ମାଗଣାରେ କରୋନା ଟୀକା ପ୍ରଦାନ କରୁଛନ୍ତି । ଗତ ୨୧ ତାରିଖରେ ଗୋଟିଏ ଦିନରେ ସାରା ଭାରତରେ ୮୪ ଲକ୍ଷ ଲୋକଙ୍କ ଟିକା ପ୍ରଦାନ କରାଗଲା ଯାହାକି ଏକ ବିଶ୍ୱ ରେକର୍ଡ । ସେହିପରି ସେହି ୨୧ ତାରିଖରେ ହିଁ ଓଡ଼ିଶାରେ ୨ ଲକ୍ଷ ୮୫ ହଜାର୫୫୪ ଜଣଙ୍କୁ ଟିକା ପ୍ରଦାନ କରାଗଲା ।