ଟିକାକରଣକୁ ଅଧିକ ତ୍ବରାନ୍ବିତ କରିବା ପାଇଁ କେନ୍ଦ୍ରକୁ ରାଜ୍ୟର ଜରୁରୀକାଳୀନ ପ୍ରସ୍ତାବ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କୁ ରାଜ୍ୟ ସ୍ବାସ୍ଥ୍ରମନ୍ତ୍ରୀ ନବ ଦାସଙ୍କ ଚିଠି

ଭୁବନେଶ୍ୱର: କରୋନା ଟିକାକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ବିତ କରିବା ପାଇଁ  କେନ୍ଦ୍ରକୁ ରାଜ୍ୟର ପ୍ରସ୍ତାବ । ଓଡ଼ିଶା ସରକାର ଏହି ଜରୁରୀକାଳୀନ ପ୍ରସ୍ତାବ ଦେଇଛନ୍ତି। ପ୍ରସ୍ତାବରେ ରାଜ୍ୟ ସରକାର ବିଦେଶରୁ ଟିକା କିଣିବା ଲାଗି ଉପୁଜୁଥିବା ସମସ୍ୟାକୁ ସମାଧାନ କରିବାକୁ ନିବେଦନ କରିଛନ୍ତି। ଯେଉଁ ବୃହତ୍ ଆନ୍ତର୍ଜାତୀୟ ଟିକା ନିର୍ମାତାମାନେ ରାଜ୍ୟଗୁଡ଼ିକୁ ସିଧାସଳଖ ଟିକା ଦେବାକୁ ମନା କରୁଛନ୍ତି ସେମାନଙ୍କଠାରୁ ଓଡ଼ିଶା ପାଇଁ ଟିକା କିଣିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ରମନ୍ତ୍ରୀ ନବ କିଶୋର ଦାସ। ପ୍ରତିବଦଳରେ ଟିକା କିଣାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରଦାନ କରିବେ ବୋଲି ଉଲ୍ଳେଖ କରିଛନ୍ତି।

ମନ୍ତ୍ରୀ ଲେଖିଛନ୍ତି ରାଜ୍ୟର ଟିକା ଆବଶ୍ୟକତା ପୁରଣ କରିବାକୁ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରି-ବିଡ଼ ମିଟିଂ କରାଯାଇଥିଲା। ହେଲେ ଏଥିରେ ସାମିଲ ହୋଇନଥିଲେ ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍। ରାଜ୍ୟର ଆବଶ୍ୟକତା ଅନୁଯାୟୀ ଏହି ଦୁଇ କମ୍ପାନି ଟିକା ଯୋଗାଇ ପାରୁନାହାଁନ୍ତି।
ସେପଟେ ଗ୍ଲୋବାଲ ଟେଣ୍ଡର ଜରିଆରେ ଓଡ଼ିଶା ସରକାର ବିଦେଶୀ କମ୍ପାନି ଠାରୁ ଟିକା କିଣିବାକୁ ଚାହୁଁଛନ୍ତି। ହେଲେ ଅନ୍ୟ ରାଜ୍ୟରେ ହୋଇଥିବା ଗ୍ଲୋବାଲ ଟେଣ୍ଡରରେ କେହି ବିଦେଶୀ କମ୍ପାନୀ ରାଜ୍ୟକୁ ଟିକା ଯୋଗାଣ ପାଇଁ ରାଜି ହେଉନଥିବା ମିଡ଼ିଆ ରିପୋର୍ଟ ପ୍ରକାଶ ପାଇଛି । ମଡ଼ର୍ଣ୍ଣା ଓ ଫାଇଜର ଭଳି ବିଦେଶୀ କମ୍ପାନି କେବଳ କେନ୍ଦ୍ର ସରକାରଙ୍କ ସହ ଡ଼ିଲ କରିବାକୁ ଚାହୁଁଛନ୍ତି । ତେଣୁ ମନ୍ତ୍ରୀ ଚିଠିରେ ଲେଖିଛନ୍ତି କେନ୍ଦ୍ର ସରକାର ଏହି କମ୍ପାନି ଠାରୁ ଟିକା ଆଣି ରାଜ୍ୟକୁ ଯୋଗାଇ ଦିଅନ୍ତୁ। ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ।

ଏହି ପ୍ରସ୍ତାବ ଦେବା ବେଳେ ଓଡ଼ିଶା ସରକାର ଅନ୍ୟ ରାଜ୍ୟମାନଙ୍କଠାରୁ ଆଉ ପାଦେ ଆଗକୁ ଯାଇଛନ୍ତି। କେନ୍ଦ୍ର ଓଡ଼ିଶା ପାଇଁ ଆବଶ୍ୟକ ଟିକା କିଣିଲେ ତାହାର ସମସ୍ତ ଖର୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଏହି ଚିଠି ସ୍ପଷ୍ଟ କରୁଛି। ଅର୍ଥାତ୍ ଓଡ଼ିଶା ଏହାର ଅଧିବାସୀଙ୍କୁ ଟିକାକରଣ କରିବା ଲାଗି କେନ୍ଦ୍ର ଉପରେ ଆଉ ଏକ ବୋଝ ହେବାକୁ ଚାହୁଁ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ଅନୁସାରେ ଓଡ଼ିଶା ନିଜ ପାଣ୍ଠିରୁ ଟିକା ବାବଦ ଖର୍ଚ ତୁଲାଇବ । କିନ୍ତୁ ରାଷ୍ଟ୍ରୀୟ ସ୍ତରରେ ଥିବା ଆଇନଗତ ପ୍ରତିବନ୍ଧକକୁ ନଜରରେ ରଖି କେନ୍ଦ୍ର ସରକାର ରାଜ୍ୟଠୁ ଆବଶ୍ୟକ ଅର୍ଥ ନେଇ ଟିକା କିଣି ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସ୍ପଷ୍ଟ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ର ମନ୍ତ୍ରୀ।

ଏହି ଚିଠିରେ କୋୱିନ ପୋର୍ଟାଲକୁ ନେଇ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଟିକାକରଣ ପାଇଁ କୋୱିନ୍ ପୋର୍ଟାଲରେ ପଂଜିକରଣକୁ ବାଧ୍ୟତାମୁଳକ କରାନଯାଉ ବୋଲି ସେ ଅନୁରୋଧ କରିଛନ୍ତି । ରାଜ୍ୟର ଆଭ୍ୟନ୍ତରୀଣ ଅଂଚଳରେ ଇଣ୍ଟରନେଟ୍ ସମସ୍ୟା ରହିଛି। ଏହାଛଡ଼ା କୋ ୱିନ୍ ପୋର୍ଟାଲ୍ ବ୍ୟାପକ ଟିକାକରଣରେ ପ୍ରତିବନ୍ଧକ ହେଉଥିବା କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ । ତେଣୁ କୋୱିନ୍ ପଂଜିକରଣକୁ ବର୍ତ୍ତମାନ ପାଇଁ ବାଦ୍ ଦିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି । ଏମିତି ହେଲେ ଶୀଘ୍ର ଟିକାକରଣ ହୋଇ ପାରିବ ବୋଲି ସେ ଲେଖିଛନ୍ତି ।