ମାଟ୍ରିକ୍‌ ମୂଲ୍ୟାୟନ ପଦ୍ଧତି ଚୂଡ଼ାନ୍ତ : ନବମ-ଦଶମ ପରୀକ୍ଷାର ମୂଲ୍ୟାଙ୍କନକୁ ଗୁରୁତ୍ୱ

ଜୁନ୍ ୩୦ ସୁଦ୍ଧା ମାଟ୍ରିକ୍ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତା ଜୁନ ମାସ ୩୦ ତାରିଖ ସୁଦ୍ଧା ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ । ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏନେଇ ଗାଇଡଲାଇନ୍ ଜାରି କରାଯାଇଛି । ଦଶମ ଶ୍ରେଣୀ ପରୀକ୍ଷା ମୂଲ୍ୟାଙ୍କନ ନେଇ ପଦ୍ଧତି ଚୂଡ଼ାନ୍ତ ହୋଇଛି । ନବମ ଓ ଦଶମ ଶ୍ରେଣୀ ପରୀକ୍ଷାର ମୂଲ୍ୟାଙ୍କନକୁ ନେଇ ପରୀକ୍ଷା ଫଳ ପ୍ରକାଶ କରାଯିବ । ନବମ ଶ୍ରେଣୀର ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ଫଳକୁ ବିଚାର କରାଯିବ । ସେହିପରି ଦଶମ ଶ୍ରେଣୀର ୨ୟ, ୩ୟ ଓ ୪ର୍ଥ ଅଭ୍ୟାସ ପରୀକ୍ଷାର ଫଳକୁ ବିଚାରକୁ ନିଆଯିବ । ଦଶମ ଶ୍ରେଣୀର ୩ଟି ଅଭ୍ୟାସ ପରୀକ୍ଷାର ୨ଟି ସର୍ବୋଚ୍ଚ ମାର୍କକୁ ବିଚାରକୁ ନିଆଯିବ । ନବମ ଶ୍ରେଣୀର ସର୍ବୋଚ୍ଚ ମାର୍କର ୪୦ ପ୍ରତିଶତ ଗୁରୁତ୍ୱ ଦିଆଯିବ ।

ନବମର ଷାଣ୍ମାସିକ ଏବଂ ବାର୍ଷିକ ପରୀକ୍ଷା ମାର୍କକୁ ବିଚାରକୁ ନିଆଯିବ। ମୂଲ୍ୟାୟନ ପ୍ରକ୍ରିୟାରେ ଦଶମର ଦ୍ବିତୀୟ, ତୃତୀୟ ଏବଂ ଚତୁର୍ଥ ପ୍ରାକଟିସ୍ ପରୀକ୍ଷା ମାର୍କକୁ ସାମିଲ କରାଯିବ । ନବମର ୪୦ ପ୍ରତିଶତ ମାର୍କକୁ ଗୁରୁତ୍ବ ଦିଆଯିବ। ଦଶମରେ କୌଣସି ପରୀକ୍ଷା ଦେଇନଥିଲେ ନବମ ଶ୍ରେଣୀର ମାର୍କୁକୁ ବିଚାରକୁ ନେଇ ମୂଲ୍ୟାୟନ କରାଯିବ। ଦଶମ ଶ୍ରେଣୀରେ ଗୋଟିଏ ପରୀକ୍ଷା ଦେଇଥିଲେ ନବମର ୭୦ ପ୍ରତିଶତକୁ ଗୁରୁତ୍ବ ଦିଆଯିବ।

ସୂଚନାଯୋଗ୍ୟ, ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ କରୋନା ଭାଇରସ ମହାମାରୀ କାୟା ବିସ୍ତାର କରିଛି । କରୋନା ଭାଇରସ ଲାଗି ଶିକ୍ଷା ବର୍ଷ ୨୦୨୦-୨୧ରେ ଶିକ୍ଷାଦାନ ବ୍ୟବସ୍ଥାରେ ବ୍ୟାପକ ପ୍ରଭାବିତ ହୋଇଛି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବର୍ଷର ଅଧିକ ସମୟ ଧରି ଅନ୍‌ଲାଇନ୍‌ରେ କ୍ଲାସ କରାଯାଇଥିଲା । ଜାନୁଆରି ପ୍ରଥମ ସପ୍ତାହ ପରେ ପ୍ରାୟ ୩ ମାସ ଯାଏଁ ନବମ ଓ ଦଶମ ଶ୍ରେଣୀର କ୍ଲାସ ଅଫଲାଇନ୍‌ରେ ହୋଇଥିଲା । ୧୦୦ ଦିନର କ୍ଲାସ ପରେ ବୋର୍ଡ ପକ୍ଷରୁ ମାଟ୍ରିକ ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଶେଷ ପର୍ଯ୍ୟାୟରେ କରୋନାର ୨ୟ ଲହର ଦାଉ ସାଜିଥିଲା । ଶେଷରେ ସରକାର ବାଧ୍ୟ ହୋଇ ମାଟ୍ରିକ ପରୀକ୍ଷାକୁ ବାତିଲ କରିଥିଲେ ।