ସିବିଏସଇ ବୋର୍ଡ ପକ୍ଷରୁ ଦିଆଯାଇଥିବା ମାର୍କରେ ସନ୍ତୁଷ୍ଟ ନଥିବା ଦଶମ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାର ସୁଯୋଗ ଦିଆଯିବ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ:  ମେ ୪ରୁ ୧୪ ଜୁନ୍ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଶ୍ରେଣୀ ପରୀକ୍ଷା ବାତିଲ କରାଯିବା ସହ ସିବିଏସଇ ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ନିର୍ଦ୍ଧାରଣ କରାଯାଇ ଏହା ଆଧାରରେ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ କରାଯିବ। ଫଳ ପ୍ରକାଶ ପରେ ଯଦି କୌଣସି ଛାତ୍ରଛାତ୍ରୀ ନିଜ ଫଳାଫଳକୁ ନେଇ ସନ୍ତୁଷ୍ଟ ନଥିବେ, ତେବେ ସେମାନଙ୍କୁ ପରିସ୍ଥିତିରେ ସୁଧାର ଆସିବା ପରେ ପରୀକ୍ଷା ଦେବାକୁ ସୁଯୋଗ ଦିଆଯିବ ବୋଲି ଟୁଇଟ କରି ଜଣାଇଛନ୍ତି ରମେଶ ପୋଖରିଆଲ ନିଶଙ୍କ ।
ସୂଚନା ଥାଉ କି ସମଗ୍ର ଦେଶରେ କୋଭିଡ୍‌-୧୯ ସଂକ୍ରମଣ ମାମଲା ବଢ଼ି ଚାଲିଥିବାରୁ ‘ସିବିଏସ୍‌ଇ’ ବୋର୍ଡ ପରୀକ୍ଷା ସ୍ଥଗିତ ଓ ବାତିଲ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଥିଲେ । ଆଉ ଏ ବାବଦରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୧ ବର୍ଷର ‘ସିବିଏସ୍‌ଇ’ ପରୀକ୍ଷା ସଂକ୍ରାନ୍ତରେ ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ୍‌ ଏବଂ ଅନ୍ୟ ଶୀର୍ଷସ୍ତରୀୟ ସରକାରୀ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଦିଲ୍ଲୀରେ ସିବିଏସଇ ବୋର୍ଡ ପରୀକ୍ଷା କରା ନ ଯିବାକୁ କେନ୍ଦ୍ର ସରକାରଙ୍କଠାରେ ପ୍ରସ୍ତାବ ରଖିଥିଲେ।

କରୋନା ସଂକ୍ରମଣ ବଢ଼ୁଥିବା ଦେଖି ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ପରେ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ। ସିବିଏସଇ ଦ୍ବାଦଶ ପରୀକ୍ଷା ସ୍ଥଗିତ ରଖାଯାଇଥିବା ବେଳେ ସିବିଏସଇ ଦଶମ ପରୀକ୍ଷାକୁ ବାତିଲ କରାଯାଇଛି।