ପିପିଲିରେ ବିଜେପି ନେତ୍ରୀ ଓ ବୁଥ ସଭାପତିଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ବିଜେପି ପକ୍ଷରୁ ପିପିଲି ଥାନାରେ ଏତଲା 

ପୋଲିସ ପେଟ୍ରୋଲିଂକୁ ବ୍ୟାପକ କରାଯାଉ

ଭୁବନେଶ୍ୱର : ପିପିଲି ଉପନିର୍ବାଚନରେ ଶାସକ ବିଜେଡିକୁ ନିର୍ବାଚନ ପରାଜୟର ଭୟ ଘାରିଛି । ପୂର୍ବରୁ ବିଭିନ୍ନ ଉପନିର୍ବାଚନକୁ ହାତେଇବା ପାଇଁ ବିଜେଡି ଗୁଣ୍ଡାମାନେ ଯେପରି ଲୋକଙ୍କ ଭିତରେ ଆତଙ୍କ ଖେଳାନ୍ତି ଠିକ୍ ସମାନ ଢଙ୍ଗରେ ପିପିଲି ନିର୍ବାଚନମଣ୍ଡଳୀରେ ଆଜି ଶାସକ ଦଳର କର୍ମୀମାନେ ବିରୋଧୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଂପାଦିକା ରଶ୍ମିରେଖା ଦାସ ଏବଂ ବୁଥ ସଭାପତି ସରୋଜ ସେଠୀଙ୍କୁ ବିଜେଡି କର୍ମୀ ଲିଙ୍ଗରାଜ ସ୍ୱାଇଁ ଏବଂ ତାଙ୍କ ସହଯୋଗୀମାନେ ଆକ୍ରମଣ କରିବା ସହ ଏହି ଅଂଚଳ ଛାଡି ଯିବା ପାଇଁ ଧମକ ଦେଇଛନ୍ତି । ଏନେଇ ବିଜେପି ପକ୍ଷରୁ ପିପିଲି ଥାନାରେ ଏତଲା ଦିଆଯାଇଛି ।
ସମଗ୍ର ରାଜ୍ୟରେ ଶାସକ ବିଜୁ ଜନତା ଦଳ କ୍ରମାଗତ ଭାବେ ହିଂସା ସୃଷ୍ଟି କରିବା ସହ ବିଜେପିର ନେତା ଓ କର୍ମୀମାନଙ୍କୁ ଆକ୍ରମଣ କରୁଛନ୍ତି । ପିପିଲିରେ ୨୦୧୯ ସାଧାରଣ ନିର୍ବାଚନର ପୁନରାବୃତି ଦେଖିବାକୁ ମିଳିଛି । ବିଜେଡି ବିଧାୟକ ବ୍ୟୋମକେଶ ରାୟ ଏବଂ ବିଜେଡି ନେତା ତନ୍ମୟ ସ୍ୱାଇଁଙ୍କ ଇଙ୍ଗିତରେ ବିଜେପି ନେତ୍ରୀ ଓ ବୁଥ ସଭାପତିଙ୍କୁ ଆକ୍ରମଣ କରାଯାଇଛି । ବିଗତ ୨/୩ ଦିନ ତଳେ ସହଜପୁର ପଂଚାୟତରେ ଗଣ୍ଡଗୋଳ ହେବା ପରେ ପୋଲିସ ତା’ର ପେଟ୍ରୋଲିଂକୁ ଜୋରଦାର କରିବା ନେଇ ପ୍ରତିଶୃତି ଦେଇଥିଲା । କିନ୍ତୁ ଶାସକ ଦଳ ଚାପରେ ପୋଲିସ ତା’ର କାର୍ଯ୍ୟ ସଠିକ୍ ଢଙ୍ଗରେ କରୁନାହିଁ । ଶାସକ ବିଜେଡି ଏଠି ଦ୍ୱିତୀୟ ନନ୍ଦିଗ୍ରାମ କରିବା ପାଇଁ ଷଡଯନ୍ତ୍ର କରୁଛି ଏବଂ ନିର୍ବାଚନ ହାରିବା ଭୟରେ ବିଜେଡି ରକ୍ତମୁଖା ସାଜିଛି ।
ବୁଥ ସଭାପତି ସରୋଜ ସେଠୀ ଜଣେ ହରିଜନ ଲୋକ ହୋଇଥିବାରୁ ଶାସକ ବିଜେଡିର କର୍ମୀମାନେ ତାଙ୍କୁ ଜାତିଆଣ ଆକ୍ଷେପ କରିଥିବା ଯୋଗୁଁ ସେ ମାନସିକ ସ୍ତରରେ ବହୁତ ଆଘାତ ପାଇଛନ୍ତି । ଏ ଦିଗରେ ପୋଲିସ ପ୍ରଶାସନ ନିରପେକ୍ଷ ଭାବେ ଘଟଣାର ତଦନ୍ତ କରି ଦୋଷୀଙ୍କୁ ଗିରଫ କରିବା ସହ ଶାନ୍ତିପୂର୍ଣ୍ଣଭାବେ କିପରି ନିର୍ବାଚନ ହେବ ସେ ଦିଗରେ କାର୍ଯ୍ୟ କରିବା ପାଇଁ ବିଜେପି ଦାବୀ କରିଛି । ବିଶେଷ କରି ସହଜପୁର ପଂଚାୟତରେ ପୋଲିସ ପେଟ୍ରୋଲିଂକୁ ବ୍ୟାପକ କରାଯାଉ । ବିଜେପି ବୁଥ ସଭାପତି ସରୋଜ ସେଠୀ ଓ ତାଙ୍କ ପରିବାରକୁ ୨୪ ଘଂଟିଆ ପୋଲିସ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି ।