ଏବେ ସୁଦ୍ଧା ପୋଲିସର ୫୨ କରୋନା ଯୋଦ୍ଧା ଦାନ କଲେଣି ପ୍ଲାଜମା

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ୨ ହଜାରରୁ ୩ହଜାର କୋଭିଡ ପଜିଟିଭ ଚିହ୍ନଟ ହେଉଛନ୍ତି । ତେବେ ସେହି ତୁଳନାରେ ସୁସ୍ଥ ହାର ମଧ୍ୟ ବଢ଼ୁଛି । ପ୍ଲାଜମା ଥେରାପି ଦ୍ୱାରା ଅନେକ ଲୋକ ସୁସ୍ଥ ହେଉଛନ୍ତି । ଏଥିପାଇଁ ରାଜ୍ୟର ଅନେକ ସ୍ଥାନରେ ପ୍ଲାଜ୍‌ମା ବ୍ୟାଙ୍କ୍ ଖୋଲାଯାଇଛି। କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ୍‌, ରାଉର୍‌କେଲା ଆଇଜିଏଚ୍ ଓ ବୁର୍ଲାର ଭିମ୍‌ସାର୍ ଆଦି ବିଭିନ୍ନ ହସ୍ପିଟାଲ୍‌ରେ ଖୋଲିଥିବା ପ୍ଲାଜମା ବ୍ୟାଙ୍କରେ ଏବେ ସୁଦ୍ଧା ଓଡ଼ିଶା ପୁଲିସ୍‌ର ୫୨ ଜଣ କରୋନା ଯୋଦ୍ଧା ପ୍ଲାଜ୍‌ମା ଦାନ କରି ସାରିଲେଣି। ଏନେଇ ଓଡ଼ିଶା ପୁଲିସ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।


ଓଏସ୍‌ଏପି ୨ୟ ବଟାଲିୟନ୍ ଝାରସୁଗୁଡ଼ାରୁ ୬ ଜଣ, ଓଏସ୍‌ଏପି ତୃତୀୟ ବଟାଲିୟନ୍ କୋରାପୁଟରୁ ୫ ଜଣ, ଓଏସ୍‌ଏପି ଚତୁର୍ଥ ବଟାଲିୟନ୍ ରାଉରକେଲାରୁ ଜଣେ, ଓଏସ୍‌ଏପି ଷଷ୍ଠ ବଟାଲିୟନ୍ କଟକରୁ ଜଣେ, ଓଏସ୍‌ଏପି ଅଷ୍ଟମ ବଟାଲିୟନ୍ ଛତ୍ରପୁରରୁ ୧୪ ଜଣ, ପ୍ରଥମ ଆଇଆର୍‌ ବଟାଲିୟନ୍ କୋରାପୁଟ୍‌ରୁ ଜଣେ, ଚତୁର୍ଥ ଆଇଆର୍‌ ବଟାଲିୟନ୍ ଦେଓଗଡ଼ରୁ ଜଣେ, ପଞ୍ଚମ ଆଇଆର୍‌ ବଟାଲିୟନ୍ ବୌଦ୍ଧରୁ ୨ ଜଣ, ପିଟିଏଏସ୍‌ ନୟାଗଡ଼ରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୨ ଜଣ, କଟକ ଜିଲ୍ଲାରୁ ୪ ଜଣ, ପୁରୀ ଜିଲ୍ଲାରୁ ଜଣେ, ନୟାଗଡ଼ ଜିଲ୍ଳାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ, ଗଜପତି ଜିଲ୍ଲାରୁ ୬ ଜଣ ଓ ବ୍ରହ୍ପପୁର ପୁଲିସ୍‌ ଜିଲ୍ଲାରୁ ଜଣେ କୋଭିଡ୍ ଯୋଦ୍ଧା ପ୍ଲାଜମା ଦାନ କରିଥିବା ସୂଚନା ରହିଛି।