କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡକ କାରଣ ଖୋଜିବା ପାଇଁ ଭବାନୀପାଟଣା ପହଞ୍ଚିଲେ କେନ୍ଦ୍ରୀୟ ଟିମ୍

କଳାହାଣ୍ଡି  : କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡକ। କେଉଁ କାରଣ ପାଇଁ ହାତୀଙ୍କ ମୃତ୍ୟୁ ଘଟିଲା ଏବଂ ଏହାକୁ ପରବର୍ତ୍ତୀ ସମୟରେ କେମିତି ରୋକାଯାଇ ପାରିବ ତାହା ପ୍ରଶାସନ ପାଇଁ ପାଲଟିଛି ବଡ ଚ୍ୟାଲେଞ୍ଜ। ଏହି କ୍ରମରେ ୬ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ ପାଇଁ ଶୁକ୍ରବାର କେନ୍ଦ୍ରୀୟ ୩ ଜଣିଆ ଟିମ୍ ଭବାନୀପାଟଣା ପହଞ୍ଚିଛନ୍ତି। ପୂର୍ବରୁ ଚାରି ଜଣିଆ ଟିମ୍ ଆସିବେ ବୋଲି ସ୍ଥିର ହୋଇଥିଲା। ହେଲେ ୪ ଜଣିଆ ଟିମରୁ ଆସାମ ଭେଟନାରୀ କଲେଜର ପଦ୍ମଶ୍ରୀ ଡଃ କେକେ ଶର୍ମା ଅନୁପସ୍ଥିତ ରହିଛନ୍ତି।

ସୂଚନା ଅନୁଯାୟୀ ଟିମ୍‌ରେ ସେଣ୍ଟର ଅଫ୍ ଓ୍ବାଇଲଡ ଲାଇଫର ବୈଜ୍ଞାନିକ ଡଃ. କରିକାଲନ ମାଥେସ, ନ୍ୟାସନାଲ ଏଲିଫେଣ୍ଟ ସେଣ୍ଟରର କୋର୍ଡିନେଟର ଡଃ.ପି.ପି ପଣ୍ଡା, ପ୍ରୋଫେସର ଡଃ. ନିରଞ୍ଜନ ସାହୁ ପହଞ୍ଚି ଥିବାବେଳେ ପଦ୍ମଶ୍ରୀ ଡଃ କେକେ ଶର୍ମା ଅନୁପସ୍ଥିତ ଅଛନ୍ତି । ଟିମ ଭବାନୀପାଟଣା ଠାରେ ପହଞ୍ଚିବା ପରେ ଆରସିସିଏଫ ସୁଦୀପ୍ତ ଦାସ, ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି ଅଶୋକ କୁମାର , ଅତିରିକ୍ତ ନିର୍ଦ୍ଦେଶକ ପଶୁ ସଂପଦ ଓ ପ୍ରାଣୀ ଚିକିତ୍ସା ପ୍ରତାପ କିଶୋର ଖମାରୀ ସହ ବୈଠକ କରିଛନ୍ତି।

ଆସନ୍ତାକାଲି ଟିମ୍ କର୍ଲାପାଟ ଅଭୟାରଣ୍ୟ ଗସ୍ତ କରିବେ। ହାତୀ ମୃତ୍ୟୁର କାରଣ ହ୍ୟୁମରେଜିକ ସେଫଟିସେମିଆ ବା ସାହାଣ ରୋଗ ବୋଲି ସ୍ପଷ୍ଟ ହେବା ପରେ ଏହା କିପରି ଅଭୟାରଣ୍ୟର ହାତୀଙ୍କୁ ସଂକ୍ରମିତ ହେଲା ତାକୁ ନେଇ ଅଧିକ ଅନୁଧ୍ୟାନ କରିବେ। ଫଳରେ ଦେଶରେ ଥିବା ଅନ୍ୟ ଅଭୟାରଣ୍ୟରେ ହାତୀ ସୁରକ୍ଷା ପାଇଁ କ’ଣ କ’ଣ ପଦକ୍ଷେପର ଆବଶ୍ୟକତା ରହିଛି ତାକୁ ନେଇ ଉଚ୍ଚ ସ୍ତରୀୟ କମିଟି କେନ୍ଦ୍ର ଓ୍ବାଇଲଡ ଲାଇଫ ଇନଷ୍ଟିଚ୍ୟୁଟ ଓ କେନ୍ଦ୍ର ପ୍ରୋଜେକ୍ଟ ଏଲିଫେଣ୍ଟକୁ ରିପୋର୍ଟ ପ୍ରଦାନ କରିବେ।

କର୍ଲାପାଟ ଅଭୟାରଣ୍ୟରେ ୧୪ ଦିନ ମଧ୍ୟରେ ୬ ହାତୀର ମୃତ୍ୟୁ ଗଜରାଜ ସଙ୍କଟକୁ ନେଇ ଚିନ୍ତା ବଢାଇ ଦେଇଥିବା କେନ୍ଦ୍ରୀୟ ଟିମର ପରାମର୍ଶ ଅନୁଯାୟୀ ସରକାର ପଦକ୍ଷେପ ଗ୍ରହଣ କରିବେ। ଏଣୁ କେନ୍ଦ୍ରୀୟ ଟିମର ରିପୋର୍ଟ ବହୁତ ଗୁରୁତ୍ଵ ବହନ କରୁଛି।