ଏନଏମଏ ବାଇ-ଲ’ ଏକାମ୍ର କ୍ଷେତ୍ରକୁ ନେଇ କେଁ : ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନୀରବତାକୁ ନେଇ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଟାର୍ଗେଟ

ଭୁବନେଶ୍ୱର  : ପୁରୀ ଶ୍ରୀକ୍ଷେତ୍ର ପାଇଁ ଏନଏମଏ ବାଇ-ଲ’ ପ୍ରତ୍ୟାହାର ହୋଇଥିବା ବେଳେ ଏବେ ଏକାମ୍ର କ୍ଷେତ୍ରକୁ ନେଇ କିନ୍ତୁ ଦେଖାଦେଇଛି କେଁ । ଏକାମ୍ର୍ର କ୍ଷେତ୍ରର ଅନନ୍ତ ବାସୁଦେବ ମନ୍ଦିର ଏବଂ ବ୍ରହ୍ମେଶ୍ବର ମନ୍ଦିର ପାଇଁ ଏହି ବାଇ ଲ ପ୍ରତ୍ୟାହାର ହେବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । ଯାହାକି ରାଜ୍ୟ ସରକାରଙ୍କ ମେଗା ଏକାମ୍ର ବିକାଶ ଯୋଜନା ବାଟରେ କଣ୍ଟା ହୋଇଛି। ଏହାକୁ ନେଇ ସବୁ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଶ୍ରୀଲିଙ୍ଗରାଜଙ୍କ ସେବାୟମତମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ରାଜନୀତି ବି ଜୋର ଧରିଛି।

ଏକାମ୍ର କ୍ଷେତ୍ର ପ୍ରକଳ୍ପ ବାଧାପ୍ରାପ୍ତ ନେଇ ଭୁବନେଶ୍ୱର ସାଂସଦଙ୍କ ନୀରବତାକୁ ମନ୍ତ୍ରୀଙ୍କ ସମାଲୋଚନା। ସମାଲୋଚନା କଲେ ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା। ଟ୍ୱିଟ ଯୋଗେ ସମାଲୋଚନା କରି ଅଶୋକ କହିଛନ୍ତି ଯେ, ପ୍ରକଳ୍ପରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଭୁବନେଶ୍ୱରବାସୀ କେବେ କ୍ଷମା ଦେବେନି। ସୂଚନା ଅନୁସାରେ ଏନଏମଏ ପ୍ରସ୍ତାବିତ ବାଇ ଲରୁ ଯଦିଓ ପୁରୀ ଶ୍ରୀମନ୍ଦିର ପ୍ରସଙ୍ଗ ପ୍ରତ୍ୟାହୃତ ହୋଇଛି କିନ୍ତୁ ଭୁବନେଶ୍ୱରର ବ୍ରହ୍ମେଶ୍ୱରପାଟଣା ଓ ଅନନ୍ତବାସୁଦେବ ମନ୍ଦିର ଏଥିରେ ରହିଛି। ତେଣୁ ଏହା କାର୍ଯ୍ୟକାରୀ ହେଲେ ଏକାମ୍ର କ୍ଷେତ୍ରରେ ବିକାଶ ବାଧାପ୍ରାପ୍ତ ହେବ।

ସେପଟେ ଏକାମ୍ର କ୍ଷେତ୍ର ବିକାଶରେ କେନ୍ଦ୍ର ବାଧକ ସାଜିଛି। ସେବାୟତଙ୍କୁ ଦୁଇ ଭାଗ କରିବା ପାଇଁ ହୀନ ଚେଷ୍ଟା କରାଯାଉଛି ବୋଲି ଅଭିଯୋଗ ହେଉଛି। ଏହାର ପ୍ରତିବାଦରେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବ ଲିଙ୍ଗରାଜ ସେନା। ସ୍ଥାନୀୟ ସାଂସଦ ନିରବଦ୍ରଷ୍ଟା ସାଜି ମଜା ଦେଖୁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଅପରାଜିତା ଷଡଙ୍ଗୀ ଥରୁଟିଏ ସେବାୟତଙ୍କ ସହ କଥା ହୋଇନାହାନ୍ତି। ଏକାମ୍ର କ୍ଷେତ୍ରବାସୀ ସାଂସଦଙ୍କୁ କ୍ଷମା ଦେବେନି ବୋଲି କହିଛନ୍ତି ଲିଙ୍ଗରାଜ ସେନା ମୁଖ୍ୟ ରାଜେନ୍ଦ୍ର ସମର୍ଥା। ସାଂସଦଙ୍କୁ ବଡୁ ନିଯୋଗ ପକ୍ଷରୁ ମଧ୍ୟ ଘୋର ବିରୋଧ କରାଯାଇଛି। ଆଗାମୀ ଦିନରେ ମନ୍ଦିର ଭିତରକୁ ପ୍ରବେଶ କରାଇ ନଦେବାକୁ ଧମକ ଦେଇଛି ବଡ଼ୁ ନିଯୋଗ।