ପଞ୍ଚଦଶ ତୋଷାଳି ମେଳା : ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଅଧ୍ୟକ୍ଷତାରେ ସମନ୍ୱୟ ବୈଠକ

କୋଭିଡ୍‌ ନିୟମକୁ ଅନୁପାଳନ,ସାମାଜିକ ଦୂରତା ରକ୍ଷା କରି ମେଳା ଆୟୋଜନ ଉପରେ ଉନ୍ନୟନ କମିଶନରଙ୍କ ଗୁରୁତ୍ୱ

ଭୁବନେଶ୍ୱର : ପଞ୍ଚଦଶ ତୋଷାଳି ମେଳା, ୨୦୨୧ ଜାନୁଆରୀ ୨୧ ତାରିଖରୁ ଫେବୃଆରୀ ୫ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନଠାରେ ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆଜି ଲୋକସେବା ଭବନର ଦ୍ୱିତୀୟ ମହଲା ସମ୍ମିଳନୀ କକ୍ଷରେ ଏକ ଆନ୍ତଃବିଭାଗୀୟ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା । ଏହି ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଅଧ୍ୟକ୍ଷତା କରିଥିଲେ । କୋଭିଡ୍‌ ନିୟମକୁ ସଂପୂର୍ଣ୍ଣ ଭାବେ ଅନୁପାଳନ କରାଯାଇ ସାମାଜିକ ଦୂରତା ରକ୍ଷା କରି ମେଳା ଆୟୋଜନ କରିବା ଉପରେ ଉନ୍ନୟନ କମିଶନର ଶ୍ରୀ ଜେନା ଗୁରୁତ୍ୱ ଦେଇଥିଲେ ।


ବୈଠକ ଆରମ୍ଭରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ପଞ୍ଚଦଶ ତୋଷାଳି ମେଳା ୨୦୨୧ ସମସ୍ତ ସହଯୋଗୀ ବିଭାଗର ମିଳିତ ଉଦ୍ୟମରେ ସଫଳ ହୋଇପାରିବ ବୋଲି କହିଥିଲେ । ଏହି ଜାତୀୟ ସ୍ତରୀୟ ମେଳାର ଆୟୋଜନ ଦ୍ୱାରା ବୁଣାକାର ଓ ଶିଳ୍ପୀମାନଙ୍କ ଉତ୍ପାଦର ବିକି୍ର ନିମନ୍ତେ ସୁଯୋଗ ସୃଷ୍ଟି ହୋଇପାରିବ । ଗତବର୍ଷ ୪୫୦ଟି ଷ୍ଟଲ ଥିବାବେଳେ ସ୍ୱତନ୍ତ୍ର କୋଭିଡ୍‌ ନିୟମ ପାଳନକୁ ଆଖିରେ ରଖି ଚଳିତ ବର୍ଷ ଏହି ମେଳାରେ ସମୁଦାୟ ୨୫୦ଟି ଷ୍ଟଲ୍‌ କରାଯାଉଛି । ସମସ୍ତ କୋଭିଡ୍‌ ନିୟମର ଅନୁପାଳନ କରାଯାଇ ମେଳାର ଆୟୋଜନ କରାଯାଉଛି ବୋଲି ସଚିବ ଶ୍ରୀମତୀ ଶର୍ମା ପ୍ରକାଶ କରିଥିଲେ । ଏହି ବୈଠକରେ ତୋଷାଳି ମେଳାରେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଆବଶ୍ୟକୀୟ ପୋଲିସ୍‌, ଯଥେଷ୍ଟ ଟ୍ରାଫିକ୍‌ ବ୍ୟବସ୍ଥା, ଦିନରାତି ଦୁଇ ୟୁନିଟ୍‌ ଅଗ୍ନିଶମ ଦଳଙ୍କ ମୁତୟନ, ବିଦୁ୍ୟତଯୋଗାଣ, ପିଇବା ପାଣି, ଫାଷ୍ଟଏଡ୍‌ ବ୍ୟବସ୍ଥା, ମେଳା ପରିସରର ସ୍ୱଚ୍ଛତା, ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଗଣମାଧ୍ୟମରେ ବ୍ୟାପକ ପ୍ରଚାର ଓ ପ୍ରସାର
ବ୍ୟବସ୍ଥା ଆଦି ଉପରେ ଆଲୋଚନା ହୋଇଥିଲା ।
ଏହି ବୈଠକରେ ଅତିରିକ୍ତ କମିଶନର ଅଫ୍‌ ପୋଲିସ୍‌ ଶ୍ରୀମତୀ ରେଖା ଲୋହାନୀ, ବିଏମ୍‌ସି କମିଶନର ଶ୍ରୀ ପ୍ରେମଚାନ୍ଦ ଚୌଧାରୀ, ରାଜ୍ୟ ଫାୟାର ଅଫିସର, ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ସେଣ୍ଟ୍ରାଲ୍‌ ଡିଷ୍ଟି୍ରବୁ୍ୟସନ୍‌ ଲିମିଟେଡ୍‌, ପିଏଚ୍‌ଇଡି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଭିନ୍ନକ୍ଷମ ସଶକ୍ତିକରଣ ନିର୍ଦ୍ଦେଶକ, ହସ୍ତଶିଳ୍ପ ନିର୍ଦ୍ଦେଶକ, ପର୍ଯ୍ୟଟନ ବିଭାଗର ଯୁଗ୍ମ ସଚିବ, ସୂଚନା ଓ ଲୋକସଂପର୍କ ବିଭାଗର ପଦାଧିକାରୀ ଉପସ୍ଥିତ ରହି ମେଳାର ସୁପରିଚାଳନା ନିମନ୍ତେ ନିଜର ମତାମତ ବ୍ୟକ୍ତ କରିଥିଲେ । ହସ୍ତଶିଳ୍ପ ଓ ହସ୍ତତନ୍ତ ବିଭାଗ ଅତିରିକ୍ତ ଶାସନ ସଚିବ ତଥା ସିଡାକ୍‌ର ସଭ୍ୟସଚିବ ଶ୍ରୀ କୈଳାସ ଚନ୍ଦ୍ର ସାହୁ ଏହି ବୈଠକର ପରିଚାଳନା କରିଥିଲେ ।