ଘରୋଇ ସ୍କୁଲ୍‌ ଫି’ ହ୍ରାସ ମାମଲାର ରାୟ ପ୍ରକାଶ,ଏକ ଲକ୍ଷରୁ ଅଧିକ ଫି ନେଉଥିବା ସ୍କୁଲ ୨୬ ପ୍ରତିଶତ ଫି ହ୍ରାସ କରିବେ

ଭୁବନେଶ୍ବର ୧: କୋଭିଡ୍ ଯୋଗୁଁ ଘରୋଇ ସ୍କୁଲ ଫି ହ୍ରାସ କରିବା ନେଇ ହାଇକୋର୍ଟରେ ହୋଇଥିବା ମାମଲାର ରବିବାର ରାୟ ପ୍ରକାଶ ପାଇଛି ।ରାୟରେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସ୍କୁଲ ଫି ହ୍ରାସ ପାଇଁ ହୋଇଥିବା ଏମଓୟୁକୁ ସ୍କୁଲଗୁଡିକ ପାଇଁ ଲାଗୁ କରିଯାଇପାରେ । ୧୪ଟି ବେସରକାରୀ ସ୍କୁଲ,ଗଣଶିକ୍ଷା ବିଭାଗ ଓ ଅଭିଭାବକ ସଙ୍ଘ ମଧ୍ୟରେ ଏହି ଏମ୍ଓୟୁ ସ୍ବାକ୍ଷରିତ ହୋଇଥିଲା।

ଏମ୍ଓୟୁ ଅନୁସାରେ ୬ ହଜାରରୁ ୧୨ହଜାର ପର୍ଯ୍ୟନ୍ତ ବାର୍ଷିକ ଫି ନେଉଥିବା ସ୍କୁଲଗୁଡିକ ୭.୫ ପ୍ରତିଶତ ଫି ହ୍ରାସ କରିପାରିବେ।୧୨ହଜାରରୁ ୨୪ହଜାର ଟଙ୍କା ଫି ନେଉଥିବା ସ୍କୁଲ ଗୁଡିକ ୧୨ ପ୍ରତିଶତ ଫି ହ୍ରାସ କରିପାରିବେ, ବାର୍ଷିକ ୨୪ ହଜାରରୁ ୪୮ ହଜାର ଟଙ୍କା ଫି ନେଉଥିବା ସ୍କୁଲ ଗୁଡିକ ୧୫ ପ୍ରତିଶତ, ୪୮ହଜାର ରୁ ୭୨ହଜାର ଟଙ୍କା ଫି ନେଉଥିବା ସ୍କୁଲ ଗୁଡିକ ୨୦ ପ୍ରତିଶତ ,୭୨ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଫି ନେଉଥିବା ସ୍କୁଲ ଗୁଡିକ ୨୫ପ୍ରତିଶତ ସ୍କୁଲ ଫି ହ୍ରାସ କରିବେ।

ଏକ ଲକ୍ଷରୁ ଅଧିକ ଫି ନେଉଥିବା ସ୍କୁଲ ୨୬ ପ୍ରତିଶତ ଫି ହ୍ରାସ କରିବେ । କିନ୍ତୁ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି କୋର୍ଟ କହିଛନ୍ତି।ଯେଉଁ ସ୍କୁଲ ଏହି ନିଷ୍ପତ୍ତିରେ ରାଜି ନୁହଁନ୍ତି ସେମାନେ ଅଦାଲତଙ୍କ ଦ୍ବାରସ୍ଥ ହୋଇପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।