ବରଫ ଅତଡା ଖସି ୪ ଯବାନ ଶହୀଦ, ୬ ସାଧାରଣ ନାଗରିକ ମୃତ

ଶ୍ରୀନଗର: ଜମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲା ନିକଟବର୍ତୀ ମଛଲ ଅଂଚଳରେ ବଡ ଅଘଟଣ । ମଙ୍ଗଳବାର ଏକ ତୁଷାରାବୃତ୍ତ ଗିରିଶୃଙ୍ଗ ଉପରୁ ବଡ ବରଫ ଅତଡା ତଳକୁ ଖସି ପଡିବା ଫଳରେ ଏହା ତଳେ ଚାପି ହୋଇ ୫ ଜଣ ଯବାନ ଶହୀଦ ହୋଇଛନ୍ତି । ସେହିପରି ଘାଟିର ପୃଥକ ପୃଥକ ସ୍ଥାନରେ ବରଫ ଅତଡା ଖସି ୬ ସାଧାରଣ ନାଗରିକ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି ।

ଶହୀଦ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଶହୀଦ ଯବାନ ହେଲେ ଏନକେ ରାମେଶ୍ବର ଲାଲ, ଏନକେ ପୁରୁଷୋତମ କୁମାର, ସିବି ଚୌରାସିଆ, ରଣଜିତ ସିଂହ ଓ ବଚ୍ଛୁ ସିଂହ । ଘଟଣା ସଂପର୍କରେ ଖବର ମିଳିବା ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ବରଫପାତ ଫଳରେ ବାନ୍ଦିପୁରା ଜିଲ୍ଲାରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହେବା ସହ ଜଣେ ସାଧାରଣ ନାଗରିକ ପ୍ରାଣ ହରାଇଥିବାବେଳେ ପାଂଚ ଆହତ ହୋଇଛନ୍ତି ।

ସେହିପରି ଗୁଣ୍ଡ କୁଲ୍ଲାନ ଗ୍ରାମରେ ବରଫ ଅତଡା ମାଡି ଯିବା ଫଳରେ ପାଂଚ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ସମସ୍ତ ଅଂଚଳରେ ସେନା ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।