ଅମ୍ବାଲାରେ ୫ ରାଫେଲ ବିମାନର ସଫଳ ଅବତରଣ

ଅମ୍ବାଲା: ଭାରତରେ ମାଟିରେ ମହାରକ୍ଷକ ରାଫେଲ । ହରିୟାଣାର ଅମ୍ବାଲା ଏୟାର ବେସରେ ୫ଟି ରାଫେଲ ବିମାନର ସଫଳ ଅବତରଣ ହୋଇଛି । ଲ୍ୟାଣ୍ଡିଂ ପରେ ଏହି ବିମାନଗୁଡିକୁ ଓ୍ବାଟର ସ୍ୟାଲୁଟ ଯୋଗେଁ ସ୍ୱାଗତ କରିଛି ଭାରତୀୟ ବାୟୁସେନା । ରାଫେଲ ସାମିଲ ହେବା ପରେ ଭାରତୀୟ ବାୟୁସେନାର ଶକ୍ତିରେ ବୃଦ୍ଧି ଘଟିଛି ।

ରାଫେଲ ଲ୍ୟାଣ୍ଡିଂ ସମୟର ଟଚ୍‌ଡାଉନ ଭିଡିଓ ସେୟାର କରି ଏହାକୁ ସ୍ୱାଗତ ଜଣାଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ । ଏହାସହ ସେ ଭାରତୀୟ ବାୟୁସେନାକୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ରାଜନାଥ ଲେଖିଛନ୍ତି ଯେ ଭାରତୀୟ ସେନାର ଇତିହାସରେ ଏହା ଏକ ନୂତନ ଯୁଗର ଆରମ୍ଭ । ବାୟୁସେନାର ଶକ୍ତିରେ କ୍ରାନ୍ତିକାରୀ ବୃଦ୍ଧି ହୋଇଛି । ଏବେ ଦେଶର ଶତ୍ରୁଙ୍କୁ  ଭାବିବାକୁ ପଡିବ । ଦେଶର ଅଖଣ୍ଡାତା ଦିଗରେ ଯେଉଁ ଚିନ୍ତା ରହିଛି ଏଗୁଡିକୁ ଚିନ୍ତା କରିବା ଆବଶ୍ୟକ ।

ଅମ୍ବାଲା ଏୟାରବେସରେ ସମସ୍ତ ୫ ରାଫେଲର ଲ୍ୟାଣ୍ଡିଂ ପରେ ଏଗୁଡିକୁ ସ୍ୱାଗତ ଜଣାଇଛନ୍ତି ଭାରତୀୟ ବାୟୁସେନାର ମୁଖ୍ୟ ମାର୍ଶାଲ ଆର.କେ.ଏସ ଭଦୋରିଆ । ଫ୍ରାନ୍ସରୁ ମିଳିଥିବା ଏହି ରାଫେଲର ପ୍ରଥମ ବ୍ୟାଚ୍‌ ବୁଧବାର ଭାରତରେ ପହଞ୍ଚିଛି । ଏହି ବିମାନଗୁଡିକ ସୋମବାର ଫ୍ରାନ୍ସରୁ ଉଡାଣ ଭରିବା ପରେ ୟୁଏଇରେ ଅଟକିବା ପରେ ବୁଧବାର ଏହା ଭାରତର ଅମ୍ବାଲା ଏୟାରବେସରେ ସଫଳ ଲ୍ୟାଣ୍ଡିଂ କରିଛି ।