ସାମ୍ନାକୁ ଆସିଲା ୫ ନୂଆ କରୋନାଙ୍କ ତଥ୍ୟ

ଭୁବନେଶ୍ୱର: ଆଜି ଚିହ୍ନଟ ହୋଇଥିବା ୫ କରୋନା ଯାଜପୁରରୁ ବୋଲି ଜଣାପଡିଛି । ଏହି ୫ ଜଣଙ୍କ ମଧ୍ୟରୁ ଯେଉଁ ୩ ଜଣ ପୁରୁଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ବୟସ ଯଥାକ୍ରମେ ୨୮,୫୬ ଓ ୬୩ ବର୍ଷ ହୋଇଥିବା ବେଳେ ଦୁଇ ମହିଳା ଆକ୍ରାନ୍ତଙ୍କ ବୟସ ୨୪ ବର୍ଷ ଓ ୬୦ ବର୍ଷ ବୋଲି ଟୁଇଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ। ସଂପୃକ୍ତ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମଧ୍ୟରୁ ଯାଜପୁର ବ୍ଲକର ବାସୁଦେବପୁର ପଚାଂୟତର ୨ଜଣ, ନାଥ ସାହି ପଚାଂୟତର ଜଣେ, ବରୀ ଓ ବିଂଝାରପୁର ବ୍ଲକର ଜଣେ ବୋଲି ସୂଚନା ମିଳିଛି। କିନ୍ତୁ ଚିନ୍ତାର ବିଷୟ ଯେ ଏହି ୫ ଆକ୍ରାନ୍ତଙ୍କ ଠାରେ କରୋନାର କୈାଣସି ଲକ୍ଷଣ ନଥିଲା । କିନ୍ତୁ ସ୍ୱାବ ଟେଷ୍ଟରୁ ରିପୋର୍ଟ ପଜେଟିଭ ଆସିଛି ।

ଏବେ ଯାଜପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୫ରେ ପହଂଚିଛି। ଏମାନଙ୍କ କଂଟାକ୍ଟ ଟ୍ରେସିଂ କାମ ଆରମ୍ଭ ହୋଇଥିବା ଜଣାଯାଇଛି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ରେ ପହଂଚିଛି । ସେଥିରୁ ୫୫ ଜଣ ସୁସ୍ଥ ହୋଇଥିବା ବେଳେ ୯୮ ଜଣ ସକ୍ରିୟ ଆକ୍ରାନ୍ତଙ୍କ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ସେହିପରି ଯାଜପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେବଳ ଜଣେ ବ୍ୟକ୍ତି ସୁସ୍ଥ ହୋଇଛନ୍ତି । ଏବେ ୪୪ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ସୂଚନାଯୋଗ୍ୟ ,ଗତକାଲି ଯାଜପୁର ଜିଲ୍ଲାରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।