ଦିଲ୍ଲୀ ଏମ୍ସରେ ୫ ସ୍ୱେଚ୍ଛାସେବୀଙ୍କୁ ଦିଆଯିବ କୋଭାକ୍ସିନ ଟିକା

ନୂଆଦିଲ୍ଲୀ : ଭାରତରେ ପ୍ରସ୍ତୁତ କରୋନା ଟିକା କୋଭାକ୍ସିନର ମାନବ ପରୀକ୍ଷଣ ଆରମ୍ଭ ହୋଇଯାଇଥିବାବେଳେ ଆଜି ଦିଲ୍ଲୀର ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ୫ ଜଣ ସ୍ୱେଚ୍ଛାସେବୀଙ୍କୁ ଏହି ଟିକା ଦିଆଯିବ ।

ପ୍ରଖ୍ୟାତ ଔଷଧ ନିର୍ମାଣକାରୀ କମ୍ପାନି ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହୋଇଥିବାବେଳେ ଚଳିତ ମାସରେ ଏହାର ୩ୟ ପର୍ଯ୍ୟାୟ ବା ମାନବ ପରୀକ୍ଷଣ ଆରମ୍ଭ ହୋଇଛି । ସାରା ଦେଶରେ ପ୍ରାୟ ୩୫୦୦ ଲୋକଙ୍କ ଶରୀରରେ ଏହାର ପରୀକ୍ଷା କରାଯିବ । ଏହି ସୁସ୍ଥ ଲୋକମାନେ ଏହି ପରୀକ୍ଷଣ ପାଇଁ ସ୍ୱେଚ୍ଛାରେ ପରୀକ୍ଷଣ ଲାଗି ପଂଜୀକରଣ କରିଥିଲେ । ଏମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣରେ ଏମ୍ସରେ ୧୦୦ ଜଣ ସୁସ୍ଥ ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଗତ ସପ୍ତାହରେ ଏହି ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସେମାନେ ସୁସ୍ଥ ଅଛନ୍ତି ନା ନାହିଁ ତାହା ଯାଞ୍ଚ କରାଯାଇଥିଲା ।

ଭାରତ ବାୟୋଟେକ ଆଇସିଏମଆର ସହଯୋଗରେ ଏହି ଟିକା ପ୍ରସ୍ତୁତ କରୁଛି । ଏହି ଟିକାର ପରୀକ୍ଷଣ ପାଇଁ ଆଇସିଏମଆର ପକ୍ଷରୁ ୧୨ଟି ପ୍ରତିଷ୍ଠାନକୁ ବଛାଯାଇଛି ।

ସୂଚନାଯୋଗ୍ୟ ଯେ ଭାରତୀୟ କମ୍ପାନି ଭାରତ ବାୟୋଟେକ ବ୍ୟତୀତ ଆଉ ଏକ ଭାରତୀୟ ଫାର୍ମାକମ୍ପାନି ଜାଇଡସ କାର୍ଡିଲା ମଧ୍ୟ ଏକ ଟିକାର ବିକାଶ ଦିଗରେ କାର୍ଯ୍ୟକରୁଛି । ଉଭୟ କମ୍ପାନି ଏବେ ଏସବୁ ଟିକାର ମାନବ ପରୀକ୍ଷଣ କରୁଛନ୍ତି ।