୧୯ରୁ ମାଟ୍ରିକ ପରୀକ୍ଷା: ଏଥର ପରୀକ୍ଷା ଦେବେ ୫ଲକ୍ଷ ୬୦ ହଜାର ୮୯୧ଜଣ ଛାତ୍ରଛାତ୍ରୀ

କଟକ: ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ୧୯ରୁ ଆରମ୍ଭ ହେବାକୁ ଯାଉଛି । ଯାହା ମାର୍ଚ୍ଚ ୨ ତାରିଖ ଯାଏଁ ଚାଲିବ । ଏଥର ମାଟ୍ରିକ ପରୀକ୍ଷା ୮୮୮ଟି କେନ୍ଦ୍ରରେ ୫ ଲକ୍ଷ ୬୦ ହଜାର ୮୯୧ଜଣ ଛାତ୍ରଛାତ୍ରର ପରୀକ୍ଷା ଦେବେ । ଏଥିପାଇଁ ୩୦୭ଟି ନୋଡାଲ ସେଂଟର କରାଯାଇଛି। ୨୨ଟି ପୋଲିସ ଷ୍ଟେସନକୁ ମଧ୍ୟ ନୋଡାଲ ସେଂଟର କରିବାକୁ ନିଷ୍ପତି ହୋଇଛି।

ସମ୍ବେଦନଶୀଳ ୧ ହଜାର କେନ୍ଦ୍ରରେ ସିସିଟିଭି ଲଗାଇବା କାର୍ଯ୍ୟ ଜାରି ରହିଥିବା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି। ନୋଡାଲ ସେଂଟର ଗୁଡ଼ିକରେ ୨୪ ଘଂଟିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ପରୀକ୍ଷା ପାଇଁ ତ୍ରିସ୍ତରୀୟ ସ୍କ୍ୱାଡ୍ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି।

ଏବେ ପ୍ରଶ୍ନପତ୍ର ଛପା ଓ ପ୍ୟାକିଂ କାର୍ଯ୍ୟ ଚାଲିଛି। ଆସନ୍ତା ୮ ତାରିଖରେ  ଓଏମଆର ଉପସ୍ଥାନ ସିଟ୍ ଓ ଆଡମିଟ୍ କାର୍ଡ ସ୍କୁଲକୁ ପଠାଯିବ। ତେବେ ଏହାର ପୂର୍ବଦିନ ଅର୍ଥାତ୍‌ ୭ରେ ୱେବସାଇଟରେ ଆଡମିଟ୍ କାର୍ଡ ଉପଲବ୍ଧ ହେବ। ପରୀକ୍ଷା ସୁପରିଚାଳନା ପାଇଁ ପୋଲିସ ଡିଜି, ଆରଡିସି , ସମସ୍ତ ଜିଲ୍ଲାପାଳ ଓ ସମସ୍ତ ଏସ୍‌ପିଙ୍କ ସହାୟତା ମାଗିଛି ବୋର୍ଡ।