ମଧ୍ୟବିତ୍ତ ପରିବାର ପାଇଁ ବିଜେଡି ଇସ୍ତାହାରରେ ନବୀନଙ୍କ ୫ ଗ୍ୟାରେଣ୍ଟି, ଆସନ୍ତୁ ଜାଣିବା…

ମଧ୍ୟବିତ୍ତଙ୍କ ପାଇଁ ମେଗା ପ୍ଲାନ । ବିଜେଡି ଇସ୍ତାହାରରେ ନବୀନଙ୍କ ୫ ଗ୍ୟାରେଣ୍ଟି । ଖାଦ୍ୟ,ସ୍ବାସ୍ଥ୍ୟ, ଶିକ୍ଷା, ପରିବହନ, ଗୃହ ସୁବିଧା ନେଇ ଗ୍ୟାରେଣ୍ଟି ଦେଇଛି ବିଜେଡି। ଭି.କେ. ପାଣ୍ଡିଆନ କହିଛନ୍ତି ମଧ୍ୟବିତ୍ତ ହେଉଛନ୍ତି ସହରର ମେରୁଦଣ୍ଡ। ନୂଆ ଓଡ଼ିଶା ଗଠନ ପାଇଁ ମଧ୍ୟବିତ୍ତ ଲୋକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ବାକି ଦୁଇ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରଦାର ଜାରି ରଖିଛି ବିଜେଡି। ଏହାରି ଭିତରେ ରାଜ୍ୟର ମଧ୍ୟବିତ୍ତ ପରିବାରଙ୍କ ପାଇଁ ବିଜେଡି ବଡ ଘୋଷଣା କରିଛି। ଖାଦ୍ୟ,ସ୍ବାସ୍ଥ୍ୟ, ଶିକ୍ଷା, ପରିବହନ,ଗୃହ ସୁବିଧା ଭଳି ନିର୍ବାଚନୀ ଇସ୍ତାହାରରେ ରହିଛି ୫ ଗ୍ୟାରେଣ୍ଟି। ନବୀନଙ୍କ ପାଞ୍ଚ ଗ୍ୟାରେଣ୍ଟିର ତଥ୍ୟ ରଖି ବିଜେଡି ନେତା ଭି. କେ. ପାଣ୍ଡିଆନ କହିଛନ୍ତି ମଧ୍ୟବିତ୍ତ ହେଉଛନ୍ତି ସହରର ମେରୁଦଣ୍ଡ। ନୂଆ ଓଡ଼ିଶା ଗଠନ ପାଇଁ ମଧ୍ୟବିତ୍ତ ଲୋକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ମଧ୍ୟବିତ୍ତଙ୍କ ପାଇଁ

ପାଞ୍ଚୋଟି ବଡ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ହେଲେ ଏହି ପାଞ୍ଚୋଟି ଗ୍ୟାରେଣ୍ଟି କଣ ?

-ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ସହରାଞ୍ଚଳ ସହ ସମସ୍ତ ମଧ୍ୟବିତ୍ତଙ୍କୁ BSKY ନବୀନ କାର୍ଡରେ ଅନ୍ତର୍ଭୁକ୍ତ କରାଯିବ।

-ଘର କିଣିବାକୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ମିଳିବ ସୁଧ ରିହାତି ।

-ମଧ୍ୟବିତ୍ତଙ୍କ ପିଲାଙ୍କ ପାଠପଢା ପାଇଁ ଶିକ୍ଷା ଲୋନ ଉପରେ ବି ସୁଧ ରିହାତି ନେଇ ବ୍ୟବସ୍ଥା ରହିବ।

-ଗମନାଗମନ ପାଇଁ ଲକ୍ଷ୍ମୀ ବସ ଓ ମୋ ବସରେ ରହିବ ସ୍ଵତନ୍ତ୍ର ସୁବିଧା ।

-ରାଜ୍ୟର ପ୍ରାୟ ୯୮ରୁ ୯୯ ପ୍ରତିଶତ ପିଲା ନୂଆ ଓ ଛାତ୍ର ବୃତ୍ତିରେ ସାମିଲ ହୋଇଛନ୍ତି । ଆଗାମୀ ଦିନରେ ଛାତ୍ରଙ୍କ ପାଇଁ ୧୨ ହଜାର ଛାତ୍ରୀଙ୍କ ପାଇଁ ୧୪ ହଜାର ଛାତ୍ର ବୃତ୍ତି ପ୍ରଦାନ କରାଯିବ ।

ଏହି ପାଞ୍ଚଟି ଘୋଷଣା ନେଇ ଭି.କେ.ପାଣ୍ଡିଆନ କହିଛନ୍ତି ମଧ୍ୟବିତ୍ତଙ୍କ ପାଇଁ କୌଣସି ରାଜ୍ୟ ଏଭଳି ପଦକ୍ଷେପ ନେଇନାହାନ୍ତି। ମଧ୍ୟଵିତ୍ତ ଆଗକୁ ବଢ଼ିଲେ ରାଜ୍ୟ ଆଗକୁ ବଢିବ । ରାଜ୍ୟର ଅର୍ଥନୈତିକ ବିକାଶ ହେବ । ଏଥିପାଇଁ ମଧ୍ୟବିତ୍ତଙ୍କ ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜେଡି କହିଛି ସୁଖୀ ଓଡ଼ିଶା, ସଶକ୍ତ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟରେ ପ୍ରସ୍ତୁତ ହୋଇଛି ନିର୍ବାଚନୀ ଇସ୍ତାହାର । ବିଗତ ୨୫ ବର୍ଷରେ ଯେଉଁ ମୂଳ ଦୁଆ ପଡ଼ିଛି । ଆଗାମୀ ୧୦ ବର୍ଷରେ ସଶକ୍ତ ହେବ ଓଡ଼ିଶା । ୨୦୩୪ ସୁଦ୍ଧା ରାଜ୍ୟରେ ମୁଣ୍ଡ ପିଛା ଆୟ ସବୁଠୁ ଦୃତ ଗତିରେ ବଢ଼ିବ । ଏସବୁ କ୍ଷେତ୍ରରେ ମଧ୍ୟବିତ୍ତ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଛି ବିଜେଡି ।

ନିର୍ବାଚନ ଇସ୍ତାହାରରେ ସବୁ ବର୍ଗକୁ ଛୁଇଁବାକୁ ଯୋଜନା କରିଛି ବିଜେଡି । ମାଗଣା ବିଦ୍ୟୁତ୍ ଦେବାକୁ ବିଜେଡି ଘୋଷଣା କରି ମାଷ୍ଟରଷ୍ଟ୍ରୋକ୍‌ ଖେଳିଥିବା ବେଳେ ମଧ୍ୟବିତ୍ତଙ୍କ ପାଇଁ ବିଜେଡିର ଏହି ୫ଟି ଗ୍ୟାରେଣ୍ଟିକୁ ନେଇ ଏବେ ସବୁଠି ଚର୍ଚ୍ଚା ।