ରାଜ୍ୟରେ ପୁଣି ୫ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ଯୋଗୁ ଆଉ ୫ ଜଣ ଆଖି ବୁଜିଛନ୍ତି। ସେମାନଙ୍କ ମଧ୍ୟରେ ୪ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଛି।


ମୃତକଙ୍କ ମଧ୍ୟରେ ଥିବା ପୁରୀ ଜିଲ୍ଲାର ୭୦ ବର୍ଷୀୟ ବୃଦ୍ଧ ଓ କଟକ ଜିଲ୍ଲାର ୪୬ ବର୍ଷୀୟ ବ୍ୟକ୍ତି  ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ସେହିପରି ଗଞ୍ଜାମର ଜଣେ ୭୨ ବର୍ଷୀୟ ବୃଦ୍ଧ ଓ ଜଣେ ୫୫ ବର୍ଷୀୟ ବ୍ୟକ୍ତି ଏଥିରେ ପ୍ରାଣ ହରାଇଛନ୍ତି। ଉକ୍ତ ୭୨ ବର୍ଷୀୟ ବୃଦ୍ଧ ମଧ୍ୟ ଡାଇବେଟିସ୍‌ରେ ପୀଡ଼ିତ ଥିଲେ।

ଭୁବନେଶ୍ୱରର ଜଣେ ୫୬ ବର୍ଷୀୟା ମହିଳାଙ୍କର କରୋନାରେ ମୃତ୍ୟୁ ଘଟିଥିବା ବେଳେ ସେ ମଧୁମେହରେ ପୀଡ଼ିତ ଥିଲେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


ଏହି ୫ ଜଣଙ୍କ ବ୍ୟତୀତ ଆଉ ଜଣେ କରୋନା ରୋଗୀଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସେ ଜଣେ ମହିଳା। ତାଙ୍କୁ ୬୨ ବର୍ଷ ହୋଇଥିଲା। ସେ କେନ୍ଦ୍ରାପଡ଼ାର। ତେବେ କରୋନା ଯୋଗୁ ତାଙ୍କର ମୃତ୍ୟୁ ଘଟି ନଥିବା ବିଭାଗ ପକ୍ଷରୁ କୁହାଯାଇଛି। ବ୍ରେନ୍‌ ଟ୍ୟୁମର ଯୋଗୁ ତାଙ୍କର ମୃତ୍ୟୁ ଘଟିଛି। ସେ ଡାଇବେଟିସ୍ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ତା’ସହିତ ତାଙ୍କର ଶ୍ୱାସ ଜନିତ ସମସ୍ୟା ମଧ୍ୟ ଥିଲା।

ଗଞ୍ଜାମରେ ଆଉ ୨ ଜଣଙ୍କ ମୃତ୍ୟୁ ଘଟିବା ପରେ ଏଠାରେ କରୋନା ମୃତ୍ୟୁ ସଂଖ୍ୟା ୩୬ରେ ପହଞ୍ଚିଯାଇଛି। ସେହିପରି ଖୋର୍ଦ୍ଧାରେ କରୋନା ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଥିବା ବେଳେ କଟକରେ ୬ରେ ପହଞ୍ଚିଛି। ପୁରୀରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ସୁନ୍ଦରଗଡ଼, ବରଗଡ଼, ଅନୁଗୋଳ, ରାୟଗଡ଼ା ଓ ଗଜପତିରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ସେହିପରି ଅନ୍ୟାନ୍ୟ କାରଣରୁ ରାଜ୍ୟରେ ୧୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।