ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ବାହାରିଲେ ପୋଲିଂ କର୍ମଚାରୀ

ଭୁବନେଶ୍ୱର: ଲୋକସଭା ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଶନିବାର ପୋଲିଂ କର୍ମଚାରୀମାନେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ବାହାରିଛନ୍ତି। ଚତୁର୍ଥ ପର୍ଯ୍ୟାୟରେ ଓଡ଼ିଶାର ୬ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଏବଂ ଏହାର ଅନ୍ତର୍ଗତ ୪୧ଟି ବିଧାନସଭା ଆସନରେ ମତଦାନ ହେବ। ୧୦,୭୯୨ ମତଦାନ କେନ୍ଦ୍ରରେ ୫୨ ଜଣ ପ୍ରାର୍ଥୀଙ୍କ ପାଇଁ ୯୫,୧୪,୮୮୩ ମତଦାତା ଭୋଟ ଦେବେ। ମତଦାତାଙ୍କ ମଧ୍ୟରୁ ୪୬,୦୫,୬୯୪ ଜଣ ମହିଳା, ୪୯,୦୮,୫୭୫ ପୁରୁଷ ଓ ୬୧୫ ତୃତୀୟ ଲିଙ୍ଗର ଭୋଟର। ଏହି ପର୍ଯ୍ୟାୟର ନିର୍ବାଚନ ପାଇଁ ଶନିବାର ରାଜନୈତିକ ନେତାମାନେ ନିର୍ବାଚନ ପ୍ରଚାର ଶେଷ କରିଥିବା ବେଳେ ନିର୍ବାଚନ କମିସନ ଅଧିକ ତତ୍ପର ଦେଖାଯାଇଛନ୍ତି।

ସୂଚନାଯୋଗ୍ୟ ଏପ୍ରିଲ ୨୯ରେ ୪ର୍ଥ ପର୍ଯ୍ୟାୟରେ ଓଡ଼ିଶାରେ ୬ଟି ଲୋକସଭା ଆସନ (ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର) ଏବଂ ଏହାର ଅନ୍ତର୍ଗତ ୪୧ଟି ବିଧାନସଭା ଆସନରେ ମତଦାନ ହେବ। ଏଥି ପାଇଁ ଶନିବାର ନିର୍ବାଚନ ପ୍ରଚାରର ଶେଷ ତାରିଖ ରହିବ।