ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ: ଗାଡ଼ି ଭଙ୍ଗାରୁଜା ଅଭିଯୋଗ

ଭୁବନେଶ୍ୱର: ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ସୋମବାର ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ ଓ ଗାଡ଼ି ଭଙ୍ଗାରୁଜା ହୋଇଥିବା ଅଭିଯୋଗ ଆସିଛି। ମୟୂରଭଂଜ ଜିଲ୍ଲାର ମୋରଡ଼ା ନିର୍ବାଚନ ମଣ୍ଡଳୀ ଉଫାଲଗାଡ଼ିଆରେ ନିଦ୍ଦିଷ୍ଟ ଚିହ୍ନ ଥିବା ଗାଡ଼ି ମତଦାନ କେନ୍ଦ୍ର ଆଖପାଖ ଅଂଚଳରେ ବୁଲାବୁଲି କରୁଥିବା ବେଳେ ଉତ୍ତେଜନା ଦେଖାଯାଇଛି। ବଚସା ପରେ ୨ ଗୋଷ୍ଠୀ ମଧ୍ୟରେ ପିଟାପିଟି ଓ ବୋଲେରୋ ଗାଡ଼ି ଭଙ୍ଗାରୁଜା ହୋଇଥିବା ଜଣାପଡ଼ିଛି।

କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ଆସନ ଅନ୍ତର୍ଗତ ୧୦୮ ନମ୍ବର ବୁଥରେ ମଧ୍ୟ ଗଣ୍ଡଗୋଳ ହେବା ପରେ ମତଦାନ ବନ୍ଦ ରଖାଯାଇଛି। ବେଲପାଳ ଗାଁରେ ସ୍ଥାପିତ ମତଦାନ କେନ୍ଦ୍ରରେ ଗଣ୍ଡଗୋଳ ହେବାରୁ ପ୍ରିଜାଇଡିଂ ଅଫିସର ବାଧ୍ୟ ହୋଇ ମତଦାନ ବନ୍ଦ କରିଛନ୍ତି। ନିଦ୍ଦିଷ୍ଟ ଦଳକୁ ଭୋଟ ଦେବା ପାଇଁ ଏଜେଣ୍ଟ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଘଟଣାକୁ ନେଇ ଉତ୍ତେଜନା ଦେଖାଯାଇଛି।ସେହିପରି ସାଲେପୁର ବରଦିଆ ୧୦୨ ନମ୍ବର ବୁଥରେ ଗଣ୍ଡଗୋଳ ହେବାରୁ ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଏକ ନିଦ୍ଦିଷ୍ଟ ଚିହ୍ନରେ ଭୋଟ ଦେବା ପାଇଁ ମତଦାତାଙ୍କୁ ବାଧ୍ୟ କରାଯିବାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବାରୁ ପୁଲିସ ପହଂଚି ସ୍ଥିତି ବିଷୟରେ ଅବଗତ ହୋଇଛି।