ଚତୁର୍ଥ କୋରୋନା ରୋଗୀଙ୍କ ସାମ୍ନାକୁ ଆସିଲା ଗସ୍ତ ସୂଚୀ

କଟକ: ରାଜ୍ୟର ଚତୁର୍ଥ କୋରୋନା ରୋଗୀଙ୍କ ସମସ୍ତ ତଥ୍ୟ ସାମ୍ନାକୁ ଆସିଛି । ଏବେ ଏହି ରୋଗୀ ଜଣଙ୍କ କଟକ ଏସସିବି ମେଡିକାଲର ସ୍ୱତନ୍ତ୍ର ଆଇସୋଲେସନ୍ ୱାର୍ଡରେ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଆରମ୍ଭ ହୋଇଯାଇଛି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ମଧ୍ୟ ଜଣାପଡିଛି ।

ତେବେ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ। ଭଦ୍ରକ ଜିଲ୍ଲାର ସଂପୃକ୍ତ ଯୁବକଙ୍କୁ ଏସସିବି ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରିବା ଲାଗି ଭଦ୍ରକ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ପରାମର୍ଶ ଦେବା ପରେ ଗତ ରାତିରେ ତାଙ୍କୁ ଭଦ୍ରକରୁ କଟକ ଅଣାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାର ଜଣେ ୨୯ ବର୍ଷୀୟ ଯୁବକ ଜଣକ ଗତ ୧୮ ତାରିଖରେ ଦୁବାଇରୁ ଫେରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଦେଶ ଫେରାନ୍ତାଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଥିବାରୁ ସେ ଏଥିରେ ପଞ୍ଜୀକରଣ ମଧ୍ୟ କରିଥିଲେ। ତେବେ ତାଙ୍କ ନିକଟରେ କୋରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥିଲା। ମାତ୍ର ଗତକାଲି ତାଙ୍କ ନମୁନା ପରୀକ୍ଷା ହେବା ପରେ ସେ କୋରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ତେବେ ସଂପୃକ୍ତ ଯୁବକ ଜଣକ କେଉଁ କେଉଁ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ଖୋଳତାଡ଼ ଆରମ୍ଭ ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ, ସେ ୧୮ ତାରିଖ ଦିନ ଦୁବାଇରୁ କୋଲକାତା ଏମିରେଟସ୍  ବିମାନରେ ଆସିଥିଲେ। ଏହାପ‌ରେ କୋଲକାତା ବିମାନବନ୍ଦରରୁ ଏକୁଟିଆ ଟ୍ୟାକ୍ସି ଯୋଗେ ହାଓଡା ଷ୍ଟେସନ ଆସିଥିଲେ। ସେଠାରୁ ଇଷ୍ଟକୋଷ୍ଟ ଏକ୍ସପ୍ରେସର ଏସ୍-୧୧ କମ୍ପାଟମେଂଟରେ  ଭଦ୍ରକ ଆସିଥିଲେ। ଭଦ୍ରକ ରେଳ ଷ୍ଟେସନ‌ରୁ ଏକ ଅଟୋରେ ସେ ତାଙ୍କ ପୁରୁଣା ବଜାର ଘରକୁ ଆସିଥିଲେ। ଏହାପରେ ସେ ହୋମ୍ କ୍ୱାରେନଂଟାଇନ୍ ରେ ରହିବା ସହ ଗତ ୩୦ ତାରିଖରେ ତାଙ୍କର ସ୍ୱାବ୍ ନମୁନା ପରୀକ୍ଷା ଲାଗି ନିଆ ଯାଇଥିଲା ଓ ୩୧ରେ ପଜିଟିଭ୍ ଆସିଥିଲା।

କୁହାଯାଇଛି ଯେ, ସଂପୃକ୍ତ ଯୁବକଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖିବାକୁ ମିଳି ନଥିଲା। ତେଣୁ ଯେଉଁମାନେ ବିଦେଶରୁ ଫେରିଛନ୍ତି, ଅଥଚ ତାଙ୍କ ନିକଟରେ କୌଣସି କରୋନାର ଲକ୍ଷଣ ନାହିଁ ସେମାନେ ଆତ୍ମସନ୍ତୁଷ୍ଟ ହେବାଉଚିତ ନୁହେଁ। ତେଣୁ ସେମାନେ ୨ସପ୍ତାହ ପାଇଁ କ୍ୱାରେନଂଟାଇନ୍ ରେ  ରହିବା ସହିତ ପରବର୍ତୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ନିଜ ସ୍ୱାସ୍ଥ୍ୟର ତଦାରଖ କରିବା ଉଚିତ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।