ଧରାପଡିଲେ ୪ ନକଲି ଶିକ୍ଷକ

କୋରାପୁଟ: ରାଜ୍ୟରେ ନକଲି ଶିକ୍ଷକଙ୍କୁ ନେଇ ଚର୍ଚ୍ଚା ଲାଗିଥିବାବେଳେ ଏଭଳି ଏକ ଘଟଣା କୋରାପୁଟ ଜିଲ୍ଲାରୁ ସାମ୍ନାକୁ ଆସିଛି । ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ନ ଥାଇ ନକଲି ଶିକ୍ଷା ପ୍ରମାଣପତ୍ର ଦେଇ ବହୁଦିନ ଧରି ଚାକିରି କରିଥିବା ଖବର ସୂଚନା ମିଳିଛି ।

ପ୍ରକାଶ ଯେ, କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକ ଅଞ୍ଚଳରେ ଦୀର୍ଘ ଦିନ ହେବ ୨ଜଣ ବ୍ୟକ୍ତି ନକଲି ଶିକ୍ଷା ପ୍ରମାଣପତ୍ର ଦେଇ ବିଭିନ୍ନ ସ୍କୁଲରେ ଶିକ୍ଷକ ଭାବେ ଚାକିରି କରିଥିଲେ । ଏହା ସହ ଦଶମନ୍ତପୁର ବ୍ଲକର ୨ଜଣ ଜାଲ ପ୍ରମାଣପତ୍ର ଦେଇ ଶିକ୍ଷକତା କରିଥିଲେ । ବର୍ତ୍ତମାନ ଶିକ୍ଷକଙ୍କ ଶିକ୍ଷା ପ୍ରମାଣପତ୍ର ଯାଂଚ ହେବା ବେଳେ ସେମାନଙ୍କ ପାଖରେ ଉପଯୁକ୍ତ ପ୍ରମାଣପତ୍ର ନଥିବା ଘଟଣାର ସତ୍ୟତା ସାମନାକୁ ଆସିଥିଲା । ଫଳରେ ବ୍ଲକ ଶିକ୍ଷା ଅଧିକାରୀ କୋଟପାଡ଼ ବ୍ଲକର ୨ଶିକ୍ଷକଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ଏହା ସହ ଦଶମନ୍ତପୁର ବ୍ଲକର ୨ଜଣ ଶିକ୍ଷକ ଧରାପଡ଼ିବା ପରେ ସେମାନଙ୍କୁ କୋର୍ଟଚାଲାଣ କରିଛି ପୋଲିସ ।