୪ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ରାଜ୍ୟ ସରକାର ଦେଲେ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର:ଏବେ ଆକ୍ସନ ମୁଡ଼ରେ ରାଜ୍ୟ ସରକାର । ଭିଜିଲାନ୍ସ ଯାଞ୍ଚ ମାମଲାରେ ଦୁର୍ନୀତିର ପ୍ରମାଣ ମିଳିଥିବାରୁ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ଦେଲେ ବାଧ୍ୟତାମୂଳକ ଅବସର । 

ଭିଜିଲାନ୍ସ ଯାଞ୍ଚ ମାମଲାରେ ଦୁର୍ନୀତିର ପ୍ରମାଣ ମିଳିଥିବାରୁ ୪ଜଣ ବରିଷ୍ଠ ଅଧିକାରୀଙ୍କ ନାଁରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଖରିଆର ଡିଭିଜନର ଡେପୁଟି କନଜରଭେଟର ଅଫ ଫରେଷ୍ଟ ଶରତ ଚନ୍ଦ୍ର ପଣ୍ଡାଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି । ଶରତଙ୍କ ନାଁରେ ସାଢ଼େ ୫ କୋଟି ଟଙ୍କାର ବେଆଇନ ସମ୍ପତ୍ତି ଥିବା ନେଇ ଭିଜିଲାନ୍ସ ମାମଲା ରହିଥିଲା । ଏହା ସହ ସେ ୨୦୧୬ ବିମୁଦ୍ରାକରଣ ବେଳେ ସରକାରୀ ଚାକିରିଆ ଭାବେ ପରିବାର ନାଁରେ ବିପୁଳ ଟଙ୍କା ଜମା କରିଥିଲେ । ଜଙ୍ଗଲ ବିଭାଗର ସବୁଠାରୁ ଦୁର୍ନୀତିଗ୍ରସ୍ତ ଅଫିସର ଭାବେ ଶରତଙ୍କୁ ଦର୍ଶାଯାଇଥିଲା । 

ସେହପରି ରିଜିଓନାଲ ଟ୍ରାନ୍ସପୋର୍ଟ ଅଫିସର ବସନ୍ତ ବେହେରାଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ମିଳିଛି । ସେ ଢେଙ୍କାନାଳ ଆରଟିଓ ଥିବା ବେଳେ ତାଙ୍କ ଘରୁ ୩.୬୧କୋଟି ଟଙ୍କା ଜବତ ହୋଇଥିଲା । ଡେପୁଟି କମିଶନର ଏକ୍ସାଇଜ ଦିଲୀପ ନାଗଙ୍କୁ  ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଭିଜିଲାନ୍ସ ରେଡ଼ ବେଳେ ତାଙ୍କ ଘରୁ ୪୭.୫ଲକ୍ଷ ଟଙ୍କା ସିଜ୍ ହୋଇଥିଲା । ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ଦିଲୀପ ନାଗ ନିଲମ୍ବିତ ହୋଇଥିଲେ । 

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସହକାରୀ ସାଧାରଣ ଯୋଗାଣ ଅଧିକାରୀ ଅଶୋକ କୁମାର ମାଝୀଙ୍କୁ ମଧ୍ୟ ବାଧ୍ୟତାମୂଳକ ଅବସର ଦିଆଯାଇଛି । କିଛି ଦିନ ପୂର୍ବରୁ କାର୍ଯ୍ୟରୁ ନିଲମ୍ବିତ ଅଶୋକ ହୋଇଥିଲେ । ଉଲ୍ଲେଖଯୋଗ୍ୟ, ପୂର୍ବରୁ ମଧ୍ୟ ୨ ଜଣ ସରକାରୀ ଅଧିକାରୀଙ୍କୁ ଦୁର୍ନୀତି ପାଇଁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା ।