ଅଫଲାଇନରେ ହେବ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ଅଫଲାଇନରେ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ଅଫଲାଇନରେ ପରୀକ୍ଷା ନେଇ ସିବିଏସଇ କହିଛି। ସେହି ଅନୁସାରେ ଓଡ଼ିଶାରେ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା କରାଯିବ ବୋଲି ସେ କହିଛନ୍ତି । ଗଣଶିକ୍ଷା ବିଭାଗ ସବୁ ପିଲାଙ୍କୁ ଅନଲାଇନରେ ଯୋଡ଼ି ପାରିବାରେ ସକ୍ଷମ ହୋଇନାହିଁ। ଫେବ୍ରୁଆରିରେ ଦଶମ ଓ ଯୁକ୍ତ ଦୁଇ ପରୀକ୍ଷା ହୋଇପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ପରୀକ୍ଷା ପୂର୍ବରୁ ବିଦ୍ୟାଳୟରେ ପାଠପଢା ହେବ।
ତେବେ କରୋନା ପାଇଁ ଦୋହଲିଯାଇଛି ଶିକ୍ଷା ବ୍ୟବସ୍ଥା । ମହାମାରୀ ମହାସଂକଟ ଜାରି ରହିଥିବା ବେଳେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ବର୍ତ୍ତମାନ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି । ସେହିଭଳି କରୋନା କାଳରେ ପିଲାଙ୍କ ପାଠପଢାରେ ଯେଉଁଭଳି କୌଣସି ପ୍ରକାରର ପ୍ରଭାବ ନ ପଡ଼ିବ ଏଥିପାଇଁ ରାଜ୍ୟରେ ସରକାରଙ୍କ ତରଫରୁ ଅନଲାଇନ ପାଠପଢା ପାଇଁ ବିଭିନ୍ନ ପ୍ରକାର ଉଦ୍ୟମ କରାଯାଇଛି । ହେଲେ ପିଲା ନା ମୋବାଇଲରେ ପାଠ ପଢି ପାରୁଛନ୍ତି ନା ସେମାନଙ୍କୁ ମନିଟରିଂ କରିପାରୁଛନ୍ତି ଶିକ୍ଷକ। ଅନଲାଇନରେ ସମସ୍ତଙ୍କୁ ଏକାଠି କରିବା କଷ୍ଟସାଧ୍ୟ ହୋଇପଡ଼ିଛି ।
ଅନ୍ୟପକ୍ଷରେ ସ୍କୁଲ ଫି ନେଇ ମତ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି , ସ୍କୁଲ ଫି ନେଇ ରାଜ୍ୟର କୌଣସି ନୀତି ନାହିଁ। ତାହା ହିଁ ଆମେ ହାଇକୋର୍ଟରେ କହିଛୁ । କେବଳ କୋଭିଡ ପାଇଁ ସ୍ୱତନ୍ତ୍ର ପରିସ୍ଥିତି ସୃଷ୍ଟି ହୋଇଛି ।