ବିଧାନସଭାରେ ୧୧ ହଜାର ୭ ଶହ କୋଟିର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ

ଭୁବନେଶ୍ୱର: ବିରୋଧୀ ଦଳଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ରବିବାର ଦିନ ରାଜ୍ୟ ବିଧାନସଭାରେ ୧୧,୭୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଂଜୁରୀ ବିଲ ପାରିତ ହୋଇଛି।  କରୋନା ମହାମାରୀକୁ ଆଖି ଆଗରେ ରଖି ଚଳିତ ବର୍ଷ ଅତିରିକ୍ତ ବଜେଟରେ ‘ଆବଣ୍ଟନ ପୁନଃ ପ୍ରାଥମିକତା’ ଉପରେ ଗୁରୁତ୍ୱ ଦିଆଯାଇଅଛି । ଅତିରିକ୍ତ ବଜେଟ୍ ସ୍ୱାସ୍ଥ୍ୟ, ଖାଦ୍ୟ ଓ ସାମାଜିକ ସୁରକ୍ଷା, ଜୀବିକା, ରୋଜଗାର ସୃଷ୍ଟି ସମ୍ବନ୍ଧୀୟ କୋଭିଡ୍ ପରିଚାଳନା ଉପରେ ଧ୍ୟାନ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କୋଭିଡ୍ ଯୋଦ୍ଧା ପ୍ୟାକେଜ (କୋଭିଡ୍-୧୯ ଯୋଦ୍ଧା ବିଶେଷ ସହାୟତା), ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ର, ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ମିଶନ ଶକ୍ତି ଇତ୍ୟାଦିକୁ ସମ୍ପୂର୍ଣ୍ଣ ଭାବେ ପାଣ୍ଠି ପ୍ରଦାନ କରାଯାଇଛି । ଏହି ଅତିରିକ୍ତ ବଜେଟର ଆକାର ମୂଳ ବଜେଟର ପ୍ରାୟ ୭.୫ ପ୍ରତିଶତ ଅଟେ । ସମୁଦାୟ ଅତିରିକ୍ତ ବଜେଟର ୬୬.୩୫ ପ୍ରତିଶତ, କାର୍ଯ୍ୟକ୍ରମ ବ୍ୟୟ ପାଇଁ ଉଦ୍ଦିଷ୍ଟ ।
ମୋଟ ୭ ହଜାର ୪୩୮ କୋଟି ଟଙ୍କା କାର୍ଯ୍ୟକ୍ରମ ବ୍ୟୟ ବରାଦରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୧୬୨୭ ଟଙ୍କା, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପାଇଁ ୨୦୪୧ ଟଙ୍କା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପାଇଁ ୧୦୭୭ କୋଟି ଟଙ୍କା, ଭିତ୍ତିଭୂମି କ୍ଷେତ୍ର ପାଇଁ ୧୬୦୩ କୋଟି ଟଙ୍କା, ଶିକ୍ଷା, କ୍ରୀଡ଼ା ଏବଂ ଦକ୍ଷତା ବିକାଶ ପାଇଁ ୫୮୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି । କାର୍ଯ୍ୟକ୍ରମ ବ୍ୟୟରୁ ମୋଟ ୭ ହଜାର ୧୯୯ କୋଟି ଟଙ୍କା (୯୭%) ବିକାଶ ନିମନ୍ତେ ଉଦ୍ଦିଷ୍ଟ ଯୋଜନା ପାଇଁ ଖର୍ଚ୍ଚ କରିବାର ବ୍ୟବସ୍ଥା କରାଯାଇଛି ।