ଦୁଷ୍କର୍ମକାରୀଙ୍କୁ ଦଣ୍ଡ ଦେବା ପାଇଁ ଓଡ଼ିଶାରେ ଖୋଲିବ ୪୫ଟି ଫାଷ୍ଟଟ୍ରାକ୍ କୋର୍ଟ

ଭୁବନେଶ୍ୱର: ଦିନକୁ ଦିନ ଦୁଷ୍କର୍ମ ଘଟଣା ବଢ଼ିବାରେ ଲାଗିଛି । ତେବେ ଦୁଷ୍କର୍ମକାରୀଙ୍କୁ ଉଚିତ୍ ଦଣ୍ଡ ଦେବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ତେବେ ଦୁଷ୍କର୍ମକାରୀଙ୍କ ବିରୋଧରେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦଣ୍ଡ ଦେବା ପାଇଁ ଓଡ଼ିଶାରେ ୪୫ଟି ଫାଷ୍ଟଟ୍ରାକ୍ କୋର୍ଟ ଖୋଲିବ ବୋଲି ନିଷ୍ପତି ନିଆଯାଇଛି ।

ଏଥିରୁ ୨୧ଟି କୋର୍ଟ କେବଳ ମହିଳା ଦୁଷ୍କର୍ମ ଓ ଅତ୍ୟାଚାର ମାମଲାର ବିଚାର କରିବେ। ଅନ୍ୟପଟେ ପ୍ରତିଷ୍ଠା ହୋଇସାରିଥିବା ଆଉ ୨୪ଟି ପୋସ୍କୋ କୋର୍ଟ ନାବାଳିକାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବେ । ଏଥିନେଇ ଓଡ଼ିଶାର ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।ରାଜ୍ୟରେ ବହୁ ଦୁଷ୍କର୍ମ ମାମଲା ପଡ଼ି ରହିଥିବାରୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

ଏହା ସହିତ ହାଇକୋର୍ଟରେ ବର୍ତ୍ତମାନ ଖାଲି ପଡ଼ିଥିବା ୧୪ଟି ବିଚାରପତି ପଦ ତୁରନ୍ତ ପୂରଣ କରିବା ପାଇଁ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ଦାବି କରିଛନ୍ତି । ସେ କହିଛନ୍ତି ଯେ ହାଇକୋର୍ଟରେ ବିଚାରପତି ପଦ ପୂରଣ ହେଲେ ଲୋକଙ୍କୁ ତ୍ୱରିତ ନ୍ୟାୟ ମିଳିବ ।