ଦେଶର ବିଭିନ୍ନ ସ୍ଥାନରେ କାଳବୈଶାଖୀ: ୪୦ ମୃତ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ମଙ୍ଗଳବାର ସନ୍ଧ୍ୟାରେ କାଳବୈଶାଖୀ ଯୋଗୁ ବହୁ ଧନଜୀବନ ହାନି ହୋଇଛି। କାଳବୈଶାଖୀ ସମୟରେ ଝଡ଼ବର୍ଷା ସହ ବଜ୍ରପାତ ଯୋଗୁ ୪୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିସହ ପାଖାପାଖି ୪୦ ଜଣ ଆହତ ହୋଇଛନ୍ତି। ବୁଧବାର ଏବଂ ଗୁରୁବାର ମଧ୍ୟ ପାଣିପାଗ ଏଭଳି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ଅଚାନକ ପାଗ ବଦଳିଯାଇଥିଲା। ଗୁଜରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ରାଜସ୍ଥାନ, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ, ହରିୟାଣା ଏବଂ ନୂଆଦିଲ୍ଲୀରେ ଝଡ଼ତୋଫାନ ସହ ବର୍ଷା ଏବଂ ବଜ୍ରପାତ ହୋଇଥିଲା। ଏସବୁ ରାଜ୍ୟରେ ମୋଟ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଗୁଜରାଟ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ମୃତକଙ୍କ ମଧ୍ୟରେ ମଧ୍ୟପ୍ରଦେଶର ୧୫ ଜଣ ରହିଛନ୍ତି। ଏହାବ୍ୟତୀତ ଗୁଜରାଟରେ ୧୧ ଜଣ, ରାଜସ୍ଥାନରେ ୭, ପଞ୍ଜାବରେ ୨ ଏବଂ ହରିୟାଣା, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଓ ହିମାଚଳ ପ୍ରଦେଶରେ ଜଣେ ଲେଖାଏ ପ୍ରାଣ ହରାଇଛନ୍ତି।