ସୁନ୍ଦରଗଡ: ବନ୍ଦଘରୁ ମିଳିଲା ଗୋଟିଏ ପରିବାରର ୪ ମୃତଦେହ

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଂଚଳରେ ଚାଂଚଲ୍ୟ । ଆଇଟି କଲୋନୀର ଏକ ବନ୍ଦ ଘରୁ ୪ ମୃତଦେହ ଉଦ୍ଧାର । ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଉକ୍ତ ଘରଟି ପ୍ରମୋଦ ରାଉତଙ୍କ ହୋଇଥିବାବେଳେ, ଭଡାଟିଆ ଭାବେ କାଂଶବାହାଲ ଗୋଆଲପଡା ନିବାସୀ ରଞ୍ଜିତ ପ୍ରସାଦ ରହୁଥିଲେ । ତାଙ୍କ ସହ ତାଙ୍କ ପତ୍ନୀ କଳ୍ପନା ପ୍ରସାଦ, ତିନି ବର୍ଷ ଝିଅ କନକ ଓ ଦେଢ ବର୍ଷର ପୁଅ ୪ମାସ ଧରି ରହିଆସୁଥିଲେ। ତେବେ କ୍ଷୀରରେ ବିଷ ମିଶାଇ ଏମାନେ ଆତ୍ମହତ୍ୟା କରିପାରିଥାନ୍ତି ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଆଜି ବନ୍ଦ ଘରୁ ଦୁର୍ଗନ୍ଧ ବାହାରିବାରୁ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ । ଗତ ଗୁରୁବାର ପର ଠାରୁ ସ୍ଥାନୀୟଲୋକେ ନା ରଞ୍ଜିତଙ୍କୁ ଦେଖିଥିଲେ ନା ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ । କିନ୍ତୁ ଘର ବାରଣ୍ଡାରେ ଏକ ସ୍କୁଟି OD 14S0094 ଛିଡା ରହିଥିବାର ଦେଖିବାକୁ ମିଳିଥିଲା । ରଞ୍ଜିତ ପ୍ରେମ ବିବାହ କରି ଏଠାରେ ଭଡାରେ ରହିଥିଲେ । ସେପଟେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବାବେଳେ, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ଖୋଲା ଯାଇଥିଲା ।