ପୁଣି କରୋନାରେ ଗଲା ୪ ଜୀବନ

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୪ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୪ରେ ପହଞ୍ଚିଛି।

ଏହି ୪ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାର ୨ ଜଣ ଥିବା ବେଳେ ଗଞ୍ଜାମ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି। ସେହିଭଳି ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି।


ଖୋର୍ଦ୍ଧା ଜିଲ୍ଲାରୁ ଯେଉଁ ୨ ଜଣଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧାର ଓ ଅନ୍ୟ ଜଣେ ଭୁବନେଶ୍ୱରର। ଭୁବନେଶ୍ୱରରୁ ଯିଏ ପ୍ରାଣ ହରାଇଛନ୍ତି ସେ ଜଣେ ପୁରୁଷ। ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ ବ୍ଲଡ୍ କ୍ୟାନସରରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ସେହିପରି ଖୋର୍ଦ୍ଧାରୁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ୪୦ ବର୍ଷ ହୋଇଥିଲା।

କଟକରେ ଜଣେ ୭୧ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ସେ ମୁଖ କର୍କଟରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ। ଗଞ୍ଜାମରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ସେ ଡାଇବେଟିସ୍ ଓ ହୃଦ୍‌ରୋଗରେ ପୀଡ଼ିତ ଥିଲେ।

ଏହା ସହିତ ଖୋର୍ଦ୍ଧାରେ କରୋନା ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଥିବା ବେଳେ ଗଞ୍ଜାମରେ ୪୪ ଓ କଟକରେ ୮ରେ ପହଞ୍ଚିଛି। ବାକି ମୃତକଙ୍କ ମଧ୍ୟରୁ ୨ ଜଣ ପୁରୀର ହୋଇଥିବା ବେଳେ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ଅନୁଗୋଳ, ବରଗଡ଼, ସୁନ୍ଦରଗଡ଼, ରାୟଗଡ଼ା ଓ ଗଜପତିରୁ ଜଣେ ଲେଖାଏଁ ଅଛନ୍ତି।

କରୋନାରେ ଆକ୍ରାନ୍ତ ହୋଇଥିବା ଆହୁରି ୨୨ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ସେମାନଙ୍କର କରୋନା ଯୋଗୁ ମୃତ୍ୟୁ ଘଟି ନଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪,୨୮୦ରେ ପହଞ୍ଚିଥିବା ବେଳେ ୯,୨୫୫ ଜଣ ସୁସ୍ଥ ହୋଇସାରିଛନ୍ତି ଓ ୪୯୨୯ ଜଣ ଚିକିତ୍ସାଧୀନ ଅଛନ୍ତି।