ଝାରସୁଗୁଡ଼ାରେ ଗୋଟିଏ ପରିବାରର ୪ ଜଣ କରୋନା ଆକ୍ରାନ୍ତ

ଝାରସୁଗୁଡା: ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ କରୋନା ପଜିଟିଭ୍‌ ଥିବା ଜଣାପଡ଼ିଛି। ଏ ନେଇ ଆଜି ଝାରସୁଗୁଡ଼ା ଜିଲ୍ଲାପାଳ ଦାୟିତ୍ୱରେ ଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ ସ୍ପଷ୍ଟ କରିଛନ୍ତି।

ଜିଲ୍ଲାରେ ପ୍ରଥମ ଥର ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କଠାରେ କରୋନା ଚିହ୍ନଟ ହୋଇଛି। ଆକ୍ରାନ୍ତ ହୋଇଥିବା ସଦସ୍ୟଙ୍କ ବୟସ ଯଥାକ୍ରମେ ୩୫ ବର୍ଷ (ପୁରୁଷ),୨୩ ବର୍ଷ (ମହିଳା), ୩ ବର୍ଷ  ଓ ୯ ବର୍ଷ ରହିଛି । ଗୋଟିଏ ପରିବାରର ସ୍ବାମୀ-ସ୍ତ୍ରୀ ଓ ସେମାନଙ୍କ ଦୁଇ ଶିଶୁ ସଂକ୍ରମିତ ଥିବା ସୂଚନା ମିଳିଛି। ଏମାନେ ସମସ୍ତେ ପଶ୍ଚିମବଙ୍ଗର ରାମପୁର ଅଂଚଳରେ ରହୁଥିଲେ। ଗତ ୨ ତାରିଖରେ  ଟ୍ରେନରେ ଝାରସୁଗୁଡା ସପରିବାର ଆସିଥିଲେ।

୬ ତାରିଖ ଦିନ ସେମାନଙ୍କ ସ୍ୱାବ୍‌ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ସମସ୍ତେ ବେଇମୁଣ୍ଡାସ୍ଥିତ ସରକାରୀ ଆଇ.ଟି.ଆଇରେ ଥିବା ସଂଗରୋଧ କେନ୍ଦ୍ରରେ ଥିବାରୁ ବିବ୍ରତ ହେବାର କୌଣସି କାରଣ ନାହିଁ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ମାଝୀ କହିଛନ୍ତି। ଏହି ପରିବାରର କଣ୍ଟାକ୍ଟ ଟ୍ରେସିଂ ଜାରି ରହିଥିବା ବେଳେ ଏମାନଙ୍କୁ କେଉଁଠାରେ ଚିକିତ୍ସିତ କରାଯିବ ସେ ନେଇ ଆଲୋଚନା ଚାଲିଥିବା ଜଣାଯାଇଛି।