ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର : ରାଜ୍ୟର ସମ୍ବଲପୁର, କେନ୍ଦୁଝର, ଢ଼େଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ଆଦି ୬ଟି ଲୋକସଭା ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୪୨ଟି ବିଧାନସଭା ଆସନରେ ମଙ୍ଗଳବାର ଭୋଟ ଗ୍ରହଣ କରାଯିବ। ଏଥିପାଇଁ ରବିବାର ସନ୍ଧ୍ୟାରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ପ୍ରମୁଖ ରାଜନୈତିକ ଦଳର ନେତା ଏବଂ ଏହି ସବୁ ଆସନରେ ନିର୍ବାଚନ ଲଢୁଥିବା ପ୍ରାର୍ଥୀ ବେଶ କିଛିଦିନ ଧରି ଚଳାଇଥିବା ମାରାଥନ ପ୍ରଚାର ଆଜି ସରିଛି। ତୃତୀୟ ପର୍ଯ୍ୟାୟରେ ମୋଟ ୪୧୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ବହୁ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ସମେତ ଚାକିରି ଛାଡି ନିର୍ବାଚନ ଳଢ଼ୁଥିବା ଭାରତୀୟ ପ୍ରଶାସନିକ ସେବାର ଅପରାଜିତା ଷଡ଼ଙ୍ଗୀ, ଅବସରପ୍ରାପ୍ତ ଆଇପିଏସ ପୂର୍ବତନ ପୁଲିସ ମହା ନିର୍ଦେଶକ ପ୍ରକାଶ ମିଶ୍ର ଓ ମୁମ୍ବଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି। ଭୁବନେଶ୍ୱର ଲୋକସଭା ଆସନରେ ସ୍ବେଚ୍ଛାକୃତ ଅବସର ନେଇଥିବା ଆଇଏଏସ ଅପରାଜିତା ଓ ଅବସରପ୍ରାପ୍ତ ଆଇପିଏସ ଅରୂପ ପ୍ରାର୍ଥୀ ହୋଇଛନ୍ତି। ସେହିପରି କଟକ ଲୋକସଭା ଆସନରେ ଦୁଇ ବରିଷ୍ଠ ରାଜନେତା ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଏବଂ ସାଂସଦ ଭର୍ତ୍ତୃହରି ମହତାବଙ୍କ ସହ ପ୍ରତିଦ୍ୱନ୍ଦିତା କରୁଛନ୍ତି ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର। ଏହି ଅଫିସରଙ୍କ ମଧ୍ୟରୁ ରାଜନୀତିରେ କିଏ ସଫଳତା ହାସଲ କରିବେ ତାହା ଉପରେ ରାଜ୍ୟବାସୀଙ୍କର ନଜର ରହିଛି।

ଏହି ପର୍ଯ୍ୟାୟରେ ସମ୍ବଲପୁର ଲୋକସଭା ଏବଂ ଏହା ଅନ୍ତର୍ଭୁକ୍ତ କୁଚିଣ୍ଡା, ରେଙ୍ଗାଳି, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ଛେଣ୍ଡିପଦା ଓ ଆଠମଲ୍ଲିକ ବିଧାନସଭା , କେନ୍ଦୁଝର ଲୋକସଭା ଏବଂ ଏହି ଲୋକସଭା ଅନ୍ତର୍ଗତ ତେଲକୋଇ, ଘସିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ ବିଧାନସଭା, ଢ଼େଙ୍କାନାଳ ଲୋକସଭା ଏବଂ ଏହା ଅନ୍ତର୍ଗତ ଢ଼େଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡ଼ା, ତାଳଚେର ଓ ଅନୁଗୋଳ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ସେହିପରି କଟକ ଲୋକସଭା ଏବଂ ଏହି ଲୋକସଭା ଅନ୍ତର୍ଗତ ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ-କଟକ, ଚୌଦ୍ବାର-କଟକ, କଟକ ସଦର ଓ ଖଣ୍ଡପଡ଼ା, ପୁରୀ ଲୋକସଭା ଏବଂ ଏହା ଅନ୍ତର୍ଗତ ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଚିଲିକା, ରଣପୁର ଓ ନୟାଗଡ଼, ଭୁବନେଶ୍ୱର ଲୋକସଭା ଏବଂ ଏହା ଅନ୍ତର୍ଗତ ଜୟଦେବ, ଭୁବନେଶ୍ୱର(ଉତ୍ତର), ଭୁବନେଶ୍ୱର(ମଧ୍ୟ), ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ ଏବଂ ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ଭୋଟରମାନେ ମତାଧିକାର ସାବ୍ୟସ୍ତ କରିବେ।

ଏହି ପର୍ଯ୍ୟାୟରେ ଭୋଟ ଗ୍ରହଣ ପାଇଁ ସଂପୃକ୍ତ ନିର୍ବାଚନମଣ୍ଡଳୀଗୁଡ଼ିକରେ ମୋଟ ୧୦,୪୬୪ଟି ବୁଥର ବ୍ୟବସ୍ଥା କରାଯାଇଛି। ଏହି ଅଞ୍ଚଳରେ ୪୭,୯୯,୦୩୦ ପୁରୁଷ, ୪୪,୫୬,୭୨୯ ମହିଳା ଏବଂ ୧୧୬୩ ଜଣ ତୃତୀୟ ଲିଙ୍ଗର ଭୋଟରଙ୍କୁ ମିଶାଇ ମୋଟ ୯୨ ଲକ୍ଷ ୫୬ ହଜାର ୯୨୨ ଭୋଟର ଅଛନ୍ତି। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ପାଇଁ ୬୧ଜଣ ପ୍ରାର୍ଥୀ ଏବଂ ୪୨ଟି ବିଧାନସଭା ଆସନ ପାଇଁ ୩୫୬ ପ୍ରାର୍ଥୀ ଅଛନ୍ତି। ଲୋକସଭା ପାଇଁ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ସମ୍ବଲପୁରରୁ ପୂର୍ବତନ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ, ନୀତେଶ ଗଙ୍ଗଦେବ, ପୂର୍ବତନ ସାଂସଦ ଶରତ ପଟ୍ଟନାୟକ, କେନ୍ଦୁଝରରୁ ଅନନ୍ତ ନାୟକ, ଚନ୍ଦ୍ରାଣୀ ମୁର୍ମୁ, ମୋହନକୁମାର ହେମ୍ବ୍ରମ, ଢ଼େଙ୍କାନାଳରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ କାମାଖ୍ୟା ପ୍ରସାଦ ସିଂହଦେଓ, ବିଧାୟକ ମହେଶ ସାହୁ, ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ପୁରୀରୁ ସାଂସଦ ପିନାକୀ ମିଶ୍ର, ସମ୍ବିତ ପାତ୍ର, ଭୁବନେଶ୍ୱରରୁ ଅରୂପ ପଟ୍ଟନାୟକ, ଅପରାଜିତା ଷଡ଼ଙ୍ଗୀ, ଜନାର୍ଦ୍ଦନ ପତି ପ୍ରମୁଖ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି।
ସେହିପରି ବିଧାନସଭା ପାଇଁ ପୂର୍ବତନ ବିଧାୟକ ନବୀନ ନନ୍ଦ, ବିଧାୟିକା ସୀମାରାଣୀ ନାୟକ, ମନ୍ତ୍ରୀ ପ୍ରଫୁଲ୍ଲ ମଲିକ, ମନ୍ତ୍ରୀ ନୃସିଂହ ଚରଣ ସାହୁ, ଅଶ୍ବିନୀକୁମାର ପୂଜାହାରୀ, ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର, ବିଧାୟିକା ରସେଶ୍ୱରୀ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ରଜନୀକନ୍ତ ସିଂହ, ବିଧାୟକ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ, ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ସମୀର ଦେ, ମନ୍ତ୍ରୀ ଚନ୍ଦ୍ରସାରଥି ବେହେରା, ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରତିଦ୍ୱନ୍ଦିତା କରୁଛନ୍ତି। ମନ୍ତ୍ରୀ ମହେଶ୍ୱର ମହାନ୍ତି, ବିଧାୟକ ସଞ୍ଜୟକୁମାର ଦାସବର୍ମା, ସରକାରୀ ଦଳର ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ, ବିଧାୟକ ଉମାକାନ୍ତ ସାମନ୍ତରାୟ, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ମନ୍ତ୍ରୀ ପ୍ରଦୀପ ମହାରଥୀ, ବିଧାୟକ ଅରୁଣକୁମାର ସାହୁ, ବିଧାୟକ ପ୍ରଶାନ୍ତକୁମାର ଜଗଦେବ, ରାଜେନ୍ଦ୍ର କୁମାର ସାହୁ, ପୂର୍ବତନ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲି, ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ଅଭିନେତ୍ରୀ ଅପରାଜିତା ମହାନ୍ତି, ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ, ପୂର୍ବତନ ମନ୍ତ୍ରୀ ସୁରେଶକୁମାର ରାଉତରାୟ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ପ୍ରମୁଖ ପ୍ରାର୍ଥୀ ଅଛନ୍ତି।