୨୨ ଦିନିକିଆ ମ୍ୟାଚ୍ ପାଇଁ ବାରବାଟୀରେ ଆଜି ଅଭ୍ୟାସ

କଟକ: ୨୨ ତାରିଖରେ ହେବାକୁ ଥିବା ଦିନିକିଆ ମ୍ୟାଚ୍ ପାଇଁ ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ଟିମ୍ ବାରବାରଟୀ ଷ୍ଟାଡିୟମରେ ଅଭ୍ୟାସ କରିବେ । ଭାରତୀୟ ଖେଳାଳି ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅଭ୍ୟାସ କରିବେ । ସେହିଭଳି ୱେଷ୍ଟଇଣ୍ଡିଜ୍ ଟିମ୍ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ଯାଏଁ ଅଭ୍ୟାସ କରିବାର ସୂଚୀ ପ୍ରସ୍ତୁତ ହୋଇଛି ।

ତିନି ମ୍ୟାଚର ଶୃଙ୍ଖଳା ଏବେ ୧-୧ରେ ଥିବାରୁ ନିର୍ଣ୍ଣାୟକ ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ । ଚଳିତ ଶୃଙ୍ଖଳାରେ ଭାରତ ତାର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜ ଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା । ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଦିନିକିଆକୁ ୱେଷ୍ଟଇଣ୍ଡିଜ ୮ ୱିକେଟରେ ଜିତିଥିଲା । ଏହା ପରେ ବିରାଟ କୋହଲିଙ୍କ ଟିମ ବିଶାଖାପାଟଣାରେ ସତର୍କତା ଅବଲମ୍ବନ କରିଥିଲା । ଭାରତ ଧୂଆଁଧାର ବ୍ୟାଟିଂ କରି ଅତିଥି ଟିମ ବିରୋଧରେ ୧୦୭ ରନରେ ବିଜୟୀ ହୋଇଥିଲା । ତେଣୁ କଟକରେ ଭାରତ ପୁଣି ଥରେ ନିଜର ଦମ ଦେଖାଇବ ବୋଲି ଦର୍ଶକ ଆଶା ରଖିଛନ୍ତି ।

ତୃତୀୟ ଦିନିକିଆ ପାଇଁ ଉଭୟ ଓଡ଼ିଶା କ୍ରିକେଟ ଆସୋସିଏଶନ ଓ ପୋଲିସ ପକ୍ଷରୁ ବ୍ୟାପକ ପସ୍ତୁତି କରାଯାଇଛି । ଖେଳାଳିମାନେ ଷ୍ଟାଡିୟମରେ ପହଂଚିବା ଏବଂ ମ୍ୟାଚ ପରେ ପୁଣି ହୋଟେଲକୁ ଫେରିଯିବା ନେଇ ଓସିଓ ଓ ପୋଲିସ ମଧ୍ୟରେ ବୈଠକ ହୋଇଛି । ବାରବାଟୀ ମ୍ୟାଚ ପାଇଁ ୮୦ ପ୍ଲାଟୁନ ପୋଲିସ ଖେଳାଳିଙ୍କ ସୁରକ୍ଷା ଓ ଷ୍ଟାଡିୟମ ନିୟନ୍ତ୍ରଣ ପାଇଁ ନିୟୋଜିତ ହେବେ ବୋଲି ପୂର୍ବରୁ ପୋଲିସ ପକ୍ଷରୁ କୁହାଯାଇଛି ।