ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥନ : ଶନିବାର ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ଲାଗି ଦଳୀୟ କର୍ମୀ ଓ ରାଜ୍ୟବାସୀଙ୍କୁ କଲେ ନିବେଦନ

ଭୁବନେଶ୍ୱର : କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଦେବା ଓ ସେମାନଙ୍କ ମନବଳ ବଢାଇବା ଲାଗି ଶନିବାର ସଂଧ୍ୟା ୫ଟା ୩୦ରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାଇବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଦେଇଥିବା ଆହ୍ୱାନକୁ ସମର୍ଥନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶନିବାର ସଂଧ୍ୟା ୫ଟା ୩୦ରେ ବନ୍ଦେ ଉତ୍କଳ ଜନନୀ ଗାନ କରିବାକୁ ଓଡିଶା ବାସୀ ଓ ନିଜ ଦଳୀୟ କର୍ମକର୍ତ୍ତାଙ୍କୁ ଟୁଇଟ୍ କରି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ନିଜ ଟୁଇଟ ବାର୍ତ୍ତାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି “କୋଭିଡ୍ ଯୋଦ୍ଧାଙ୍କ ସମ୍ମାନରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକୁ ସ୍ୱାଗତ କରୁଛି । ବୈଶ୍ୱିକ ମହାମାରୀ କରୋନା ଲଢ଼େଇର ପ୍ରଥମ ଧାଡିର ଯୋଦ୍ଧାମାନଙ୍କୁ ସମ୍ମାନିତ ଓ ଉତ୍ସାହିତ କରିବା ଦେଶ ପ୍ରେମର ନିବେଦନ ।  ବନ୍ଦେ ଉତ୍କଳ ଜନନୀ ସାଢ଼େ ୪ କୋଟି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ ଓ ଭାବନା ସହ ଜଡ଼ିତ । ମାଟି ମାଆକୁ ଉତ୍ସର୍ଗ ହୋଇଥିବା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଏହି ପ୍ରେରଣାଦାୟୀ ବନ୍ଦେ ଉତ୍କଳ ଜନନୀକୁ ଗାନ କରିବା ପାଇଁ ମୁଁ ଓଡ଼ିଶାବାସୀ ଓ ମୋ ଦଳର ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଅନୁରୋଧ କରୁଛି ।

କୋଭିଡ ଯୋଦ୍ଧା ମାନଙ୍କୁ ଉତ୍ସାହିତ କରିବା , ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ମଇ ୩୦ ତାରିଖ ଶନିବାର ଦିନ ସଂଧ୍ୟା ୫.୩୦ରେ ଓଡିଶା ମାଟି ସହ ସଂପର୍କ ଥିବା ସମସ୍ତଙ୍କୁ, ଆମର ସାଢେ ଚାରି କୋଟି ଓଡିଆ ଭାଇଭଉଣୀଙ୍କୁ ସାମାଜିକ ଦୂରତା ରକ୍ଷା କରି ବନ୍ଦେ ଉତ୍କଳ ଜନନୀ ସଂଗୀତ  ଗାଇବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଏହା ସହ ଏହାକୁ ସମର୍ଥନ କରିବା ଲାଗି ମୁଖ୍ୟମନ୍ତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହ ଟେଲିପୋନରେ କଥା ହୋଇଥିଲେ ।