ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୁଣି ପ୍ରସଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଶ୍ରୀମାନ ନବୀନ ବାବୁ ଅଭିନନ୍ଦନର ପାତ୍ର : ମୋଦୀ

ଭୁବନେଶ୍ୱର: ମହାବାତ୍ୟା ‘ଅମ୍ଫାନ’ ପ୍ରଭାବିତ ଅଂଚଳ ପରିଦର୍ଶନ ଏବଂ କ୍ଷୟକ୍ଷତିର ଆକଳନ ନିମନ୍ତେ ମାତ୍ର ୩ ଘଣ୍ଟା ଲାଗି ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରିଛନ୍ତି । ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳର ପରିଦର୍ଶନ କରି ଭୁବନେଶ୍ୱର ବିମାନ ବନ୍ଦରର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେବା ପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ସେ କହିଥିଲେ ମହାବାତ୍ୟା ପଶ୍ଚିମବଙ୍ଗ ଯାଉ ଯାଉ ଓଡିଶାକୁ ଛୁଇଁ ଯାଇଥିଲେ ବି ବହୁତ କ୍ଷୟକ୍ଷତି କରିଛି । କିନ୍ତୁ ପ୍ରଶାସନର ସଚେତନତା ଅଭିଯାନ ଫଳରେ ସମ୍ପତ୍ତି ନଷ୍ଟ ହୋଇଥିଲେ ବି ଜୀବନ ବଂଚି ଯାଇଛି । ଏଥିପାଇଁ ଓଡିଶାବାସୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ଟିମ ଅଭିନନ୍ଦନର ପାତ୍ର । ମହାବାତ୍ୟା ପୂର୍ବରୁ ଲୋକମାନଙ୍କୁ ଯେଭଳି ଭାବେ ସ୍ଥାନାନ୍ତର କରାଗଲା ଓ ମୁକାବିଲା ଲାଗି ସୁବ୍ୟବସ୍ଥିତ ପରିଚାଳନା ହେଲା ସେ ସପଂର୍କରେ ଅବଗତ ହେବା ପରେ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିସହ ସୂଚନା ଦେଇଥିଲେ, ଜୀବନ ବଂଚାଇବା ପାଇଁ ଆଜି ମଧ୍ୟ ପୃଥିବୀ ଯୁଦ୍ଧ ଲଢ଼ୁଥିବା ବେଳେ ସୁପର ସାଇକ୍ଲୋନ ଭଳି ସଂକଟ ପଂହଚିଗଲା । ଏହା ବଡ଼ ଚିନ୍ତାର ବିଷୟ ଥିଲା । କିନ୍ତୁ ଏଠାରେ ଯେଉଁଭଳି ଭାବେ ପରିଚାଳନା କରାଯାଇ ଜୀବନ ବଂଚାଗଲା ତାହା ଏକ ବଡ଼ ସଫଳତା । ପଶ୍ଚିମବଙ୍ଗ ତୁଳନାରେ ଓଡିଶାରେ ବଡ଼ କ୍ଷତି ହୋଇନାହିଁ ସତ କିନ୍ତୁ ବିଭିନ୍ନ କ୍ଷେତ୍ରରେ କ୍ଷତି ହୋଇଛି । ପରିସ୍ଥିତିର ମୁଁ ପୁରା ସମୀକ୍ଷା କରିଛି ବୋଲି ମୋଦୀ କହିଛନ୍ତି । ମୋଟାମୋଟି ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ରାଜ୍ୟ ପ୍ରଶାସନ ବାତ୍ୟା ମୁକାବିଲା ଲାଗି କରିଥିବା କାର୍ଯ୍ୟ ଉପରେ ପ୍ରଧାନମନ୍ତ୍ରୀଙ୍କ ଏହି ବକ୍ତବ୍ୟ ସଫଳତାର ଏକ ବଡ଼ ମୋହର ଲଗାଇଛି ।