ଭାରତରେ ବୃଦ୍ଧି ପାଇଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା; ଦିଲ୍ଲୀର ନିଜାମୁଦ୍ଦିନ୍ ଧାର୍ମିକ ସମ୍ମିଳନୀ ଦାୟୀ

ନୂଆଦିଲ୍ଲୀ: ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ମାତ୍ର ୨୪ ଘଂଟାରେ ଭାରତରେ ୩୮୬ ଜଣ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଥିବାବେଳେ ମୃତ୍ୟୁ ସଂଖ୍ୟା ୩୮ ରହିଛି । ଗୋଟିଏ ଦିନରେ ଏହା ହେଉଛି ସର୍ବାଧିକ ବୃଦ୍ଧି । ନିଜାମୁଦ୍ଦିନ୍ ଧାର୍ମିକ ସମ୍ମିଳନୀରେ ଯୋଗଦେଇଥିବା ଲୋକମାନେ ସଂକ୍ରମିତ ହୋଇଥିବାରୁ ସାରା ଦେଶରେ ସଂକ୍ରମଣ ସଂଖ୍ୟା ବଢିଚାଲିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରଓ୍ୱାଲ କହିଛନ୍ତି । ସେ କହିଛନ୍ତି ଯେ ନିଜାମୁଦ୍ଦିନ୍ ଧାର୍ମିକ ସମ୍ମିଳନୀ ସହ ସଂପର୍କିତ ପ୍ରାୟ ୧୮୦୦ ଜଣ ଲୋକଙ୍କୁ ବିଭିନ୍ନ ହସପିଟାଲ ଓ କ୍ୱାରେନଂଟାଇନ୍ ସେଂଟର ରେ ଭର୍ତି କରାଯାଇଛି । ତେବେ ଲକଡାଉନ ସମୟରେ ଏହି ସମ୍ମିଳନୀକୁ ରୋକାଯାଇପାରିଥାନ୍ତା ।

ସେ କହିଛନ୍ତି ଯେ, ରେଳବାଇ ପକ୍ଷରୁ ୨୦ ହଜାର ରେଳଡବାରେ ପ୍ରାୟ ୩.୨ ଲକ୍ଷ କ୍ୱାରେନଂଟାଇନ୍ ବେଡ ପ୍ରସ୍ତୁତ କରାଯାଇଛି । ଆଉ ୫ ହଜାର ରେଳଡବାକୁ ଏଥିପାଇଁ ପ୍ରସ୍ତୁତ କରାଯାଉଛି । ଅନ୍ୟପକ୍ଷରେ ବିମାନ ମାଧ୍ୟମରେ ଜରୁରୀ ଡାକ୍ତରୀ ସାମଗ୍ରୀ ଯଥା ଔଷଧ, ମାସ୍କ, ଟେଷ୍ଟିଂ କିଟ ଆଦିର ପରିବହନ କରାଯାଉଛି ।

ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୫୦ ହଜାର ପରୀକ୍ଷା କରାଯାଇସାରିଲାଣି ଓ ତା ମଧ୍ୟରୁ ୮୬୧ଟି ପରୀକ୍ଷା ଘରୋଇ ଲାବରେ କରାଯାଇଛି ବୋଲି ଆଇସିଏମଆର ପକ୍ଷରୁ ସୂଚନା ଦିଆଯାଇଛି ।