ଆଜି ଭୁବନେଶ୍ୱରରୁ ୩୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରୁ ଗୁରୁବାର ଏକାଥରକେ ୩୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୮ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୫ଜଣ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୩ଟି ସ୍ଥାନୀୟ ମାମଲା ରହିଥିବା ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

ଘରେ ସଙ୍ଗରୋଧରେ ରହି ଚିହ୍ନଟ ହୋଇଥିବା ୨୫ଜଣଙ୍କ ମଧ୍ୟରୁ ୫ଜଣ ଜୟଦେବ ବିହାର ନିକଟସ୍ଥ ମେଫେୟାର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ପୁରୁଷ(୭୪) ଥିବା ବେଳେ ୩୬ବର୍ଷ ଓ ୭୩ବର୍ଷର ଦୁଇଜଣ ମହିଳା ଓ ଏକ ବର୍ଷର ଦୁଇଟି ଶିଶୁ ରହିଛନ୍ତି। ଏମାନେ ସମସ୍ତେ କିଛିଦିନ ତଳେ ମୁମ୍ବାଇରୁ ଫେରିଥିଲେ।

ସେହିପରି ମଞ୍ଚେଶ୍ୱର ଅଞ୍ଚଳସ୍ଥ ପ୍ରତିଦିନ କାର୍ଯ୍ୟାଳୟ ନିକଟରରୁ ଚିହ୍ନଟ ହୋଇଥିବା ୧୧ଜଣ ନିକଟରେ ଉତ୍ତରପ୍ରଦେଶରୁ ଫେରିଥିବା ବେଳେ ଉକ୍ତ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୪ଜଣ ପଶ୍ଚିମବଙ୍ଗରୁ ଓ ଜଣେ କରୋନା ଆକ୍ରାନ୍ତ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଛନ୍ତି।

ଏଥିସହିତ ପଶ୍ଚିମବଙ୍ଗରୁ ଫେରି  ସଙ୍ଗରୋଧରେ ଥିବା ଜଣେ ୪୪ବର୍ଷୀୟ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ମୁମ୍ବାଇରୁ ଫେରି ୟୁନିଟ-୮ରେ ସଙ୍ଗରୋଧରେ ଥିବା ଜଣେ ପୁରୁଷ ଓ ଜଣେ ମହିଳାଙ୍କର ମଧ୍ୟ କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି। ୟୁନିଟ-୬ ରାଧାକ୍ରିଷ୍ଣ ମନ୍ଦିର ନିକଟରୁ ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ନିକଟରେ ବେଙ୍ଗାଲୁରୁରୁ ଫେରିଥିଲେ।

ସେହିପରି ଚିହ୍ନଟ ହୋଇଥିବା ୧୩ଟି ସ୍ଥାନୀୟ ମାମଲା ମଧ୍ୟରୁ ୪ଟି ମାମଲା ସିରିପୁର ଲକ୍ଷ୍ମୀବଜାର ବସ୍ତି ଅଞ୍ଚଳର ବୋଲି ଜଣାପଡ଼ିଛି। ଏହି ୪ଜଣ ନିକଟରେ ମୁମ୍ବାଇରୁ ଫେରିଥିଲେ। ଚକେଇସିଆଣି ହାଡାବାଇବସ୍ତିରୁ ଜଣେ, ୪ଜଣ ଘରୋଇ ହସ୍‌ପିଟାଲ୍‌ର ମହିଳା କର୍ମଚାରୀ, ଜଣେ ସରକାରୀ ହସ୍‌ପିଟାଲ୍‌ର ମହିଳା କର୍ମଚାରୀ, ଜଣେ ମଞ୍ଚେଶ୍ୱର ୟୁ.ପି ସ୍କୁଲ ଅଞ୍ଚଳରୁ ଓ ଜଣେ ଭିଏସ୍‌ନଗର ହନୁମାନ ମନ୍ଦିର ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।